ଭୁବନେଶ୍ୱର: ଜାଡରେ ଥରୁଛି ପୂରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ହାଡଭଙ୍ଗା ଶୀତ । ଏଭଳି ସ୍ଥିତି ଆହୁରି ୭ ଦିନ ପର୍ଯ୍ୟନ୍ତ ଲାଗି ରହିବ । ଏହାସହ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହିତ ହେବ । ପ୍ରବଳ ଥଣ୍ଡା ସହ ଅନେକ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଦିନ ତମାମ ଖରାରେ ଲୋକଙ୍କ ସମୟ ବିତୁଥିବା ବେଳେ ସନ୍ଧ୍ୟା ନଇଁଲେ ନିଆଁ ପାଲଟିଛି ସାହାରା । ଏହାସହ ହାଡଭଙ୍ଗା ଶୀତ ସହ ଘନ କୁହୁଡିର ଏକ ଆସ୍ତରଣ ସକାଳ ୧୦ଟା ପର୍ଯ୍ୟନ୍ତ ଢାଙ୍କି ରଖୁଛି l
ଭୁବନେଶ୍ବରର ଦିନ ତାପମାତ୍ରା ୨୭.୬ ଡିଗ୍ରି ରହିଥିବା ବେଳେ କଟକରେ ରହିଥିଲା ୨୫ ଡିଗ୍ରି । ଏଥିସହ ରାଉରକେଲା, ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର ଓ ସୋନପୁରରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ ।ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।