ବଲାଙ୍ଗୀର: ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ପୁଣି ରକ୍ତରଞ୍ଜିତ ହେବ ଶୁଲିଆ ପୀଠ। ବଲାଙ୍ଗିର ଜିଲ୍ଲାର ଖଇରଗୁଡ଼ା ଓ କୁମୁରିଆରେ ପାଳନ ହେବ ସୁଲିଆ ଯାତ୍ରା । ଆଜି ଭୋର ୪ ଟାରୁ ବିଭିନ୍ନ ନୀତିକାନ୍ତି ପରେ ଆଦିବାସୀ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି । ଏହି ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ପୌଷ ମାସର ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଗୋଟିଏ ଦିନର ବଳି ପର୍ବ ସହିତ ତିନି ଦିନ ଧରି ଆଦିବାସୀ ପାଳିବେ ସୁଲିଆ ମହୋତ୍ସବ ।
ପ୍ରତି ବର୍ଷ ଭଳି ଦେଓଗାଁ ବ୍ଲକ କୁମୁରିଆ ର ବଡ଼ ଖଳା ଓ ସାନ ଖଳାରେ ହୋଇଥାଏ ଏହି ସୁଲିଆ ଯାତ୍ରା । ମାନସିକ କରିଥିବା ଭକ୍ତ ମାନେ ପାରା , କୁକୁଡ଼ା , ମେଣ୍ଢା, ଛେଳି , ମଇଁଷି ନେଇ ଆସିଥାନ୍ତି ଓ ଏହି ପୀଠରେ ତାହା ବଳି ପଡିଥାଏ । ଏଠାରେ ଲକ୍ଷlଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ହଜାର ହଜାର ପଶୁ ପକ୍ଷୀଙ୍କ ବଳି ପଡିଥାଏ । ଏନେଇ ସୁଲିଆ ଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିସାରିଛି । ଆଜି ଭୋରରୁ ପୂଜା ପରେ ପ୍ରଥମେ ପାଟଭୁକା ବଳି ପଡିବା ପରେ ଆମ୍ଭର ହୁଏ ଭକ୍ତଙ୍କ ମାନସିକ ବଳି ପଡିବା । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।
ତେବେ ଏହି ପ୍ରଥା ପରମ୍ପରା ଅନୁସାରେ ଆଜି ଆଦିବାସୀ ପୂଜକ ସିଆଲ ପତ୍ର ପରିଧାନ କରି ପ୍ରଥମେ ସୁଲିଆ ବୁଢ଼ାଙ୍କ ଠାରେ ବାଉଁଶରେ ଚାଉଳ ଘିଅ ଭରି ପୂଜା କରିଥାନ୍ତି । ଉଦୀୟମାନ ସୂର୍ଯ୍ୟଙ୍କୁ ପୂଜା କରି ସୁଲିଆ ବୁଢ଼ାଙ୍କୁ ଆହ୍ୱାନ କରିଥାନ୍ତି । ସେହିପରି ସୁଲିଆ ବୁଢା ବାରୁଆଙ୍କ ଦେହରେ ଆବିର୍ଭାବ ହେଲା ପରେ ଶ୍ରଦ୍ଧାଳୁ ତାଙ୍କୁ ପୂଜା କରିବା ସହ ସେ ସମସ୍ତଙ୍କ ଦୁଃଖ ଦୁର୍ଦ୍ଦଶା ହରଣ କରିଥାନ୍ତି ବୋଲି ବିଶ୍ବାସ ରହିଛି । ସୁଲିଆ ବୁଢ଼ାଙ୍କ ନିକଟରେ ଭକ୍ତମାନେ ମାନସିକ କରିଥାନ୍ତି । ତେବେ ଚଳିତ ଥର ବେଶ ଧୁମଧାମରେ ସୁଲିଆ ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।