ନୂଆଦିଲ୍ଲୀ: ବାଂଲାଦେଶରେ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟାକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମଙ୍ଗଳବାର ଦିଲ୍ଲୀ ଉଚ୍ଚାୟୋଗ ବାହାରେ ବହୁ ସଂଖ୍ୟାରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି । ମହମ୍ମଦ ୟୁନୁସଙ୍କ ପୋଷ୍ଟ ଧରି ହିନ୍ଦୁବାଦୀ କାର୍ଯ୍ୟକର୍ତ୍ତା ବାଂଲାଦେଶର ହିନ୍ଦୁଙ୍କ ପାଇଁ ଗୋଟିଏ ସ୍ୱର ନାରା ଦେଇଥିଲେ । ବିଶ୍ୱ ହିନ୍ଦୁ ପରିଷଦ ଓ ଅନ୍ୟ ସଂଗଠନର କାର୍ଯ୍ୟକର୍ତ୍ତା ଆରମ୍ଭରୁ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢିଥିଲେ । ନାରାବାଜି ମଧ୍ୟରେ ବାଂଲାଦେଶର କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଛି ।
ଏହି ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ମଙ୍ଗଳବାର ସକାଳୁ ବାଂଲାଦେଶର ଉଚ୍ଚାୟୋଗଙ୍କ ଆଖପାଖ ଅଞ୍ଚଳରେ ସୁରକ୍ଷା ବଢାଇ ଦିଆଯାଇଥିଲା । ବହୁ ସଂଖ୍ୟାରେ ପୋଲିସ ବଳ ସହିତ ଅର୍ଦ୍ଧସାମରିକ ବଳକୁ ମୁତୟନ କରାଯାଇଥିଲା । ବିକ୍ଷୋଭ ପ୍ରଦର୍ଶନକାରୀ ପ୍ରଥମେ ବ୍ୟାରିକେଡ୍ ଅତିକ୍ରମ କରିବାରେ ସଫଳ ହୋଇଥିଲେ । କିନ୍ତୁ ଉଚ୍ଚାୟୋଗ ବାସଭବନ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ରୋକି ଦିଆଯାଇଥିଲା ।
ଦୀପୁଙ୍କ ହତ୍ୟାକୁ ନେଇ ସମଗ୍ର ଦୁନିଆରେ ହିନ୍ଦୁମାନେ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି । ଭାରତ ବ୍ୟତୀତ ନେପାଳ ମଧ୍ୟ ଦୀପୁଙ୍କ ପାଇଁ ନ୍ୟାୟ ଦାବି କରିଛି । ଆମେରିକାରୁ ନେଇ ମିଳିତ ଜାତିସଂଘ ପର୍ଯ୍ୟନ୍ତ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ଉଠିଲାଣି ।
ଗତ ସପ୍ତାହରେ ଛାତ୍ର ନେତା ସରିଫ ଉସ୍ମାନ ହାଦୀଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଅଶାନ୍ତି ଖେଳି ଯାଇଛି । ହାଦୀ ସେହି ସରକାର ବିରୋଧୀ ପ୍ରଦର୍ଶନର ପ୍ରମୁଖ ଚେହେରା ଥିଲା, ଯାହା କାରଣରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା ସରକାର ଗାଦିଚ୍ୟୁତ ହୋଇଥିଲା । ଗତ ସପ୍ତାହରେ କିଛି ପ୍ରଦର୍ଶନକାରୀ ଭାରତ ବିରୋଧୀ ବୟାନ ଦେଇଥିଲେ । ଏହି ସମୟରେ ମୟମନସିଂ ଜିଲ୍ଲାରେ ହିନ୍ଦୁ ବ୍ୟକ୍ତି ଦୀପୁ ଚନ୍ଦ୍ର ଦାସଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପୁଣି ମୃତଦେହକୁ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ ।