ନୂଆଦିଲ୍ଲୀ: ନିକଟରେ ଉତ୍ତେଜନାକୁ ନେଇ ଭାରତର କାର୍ଯ୍ୟାନୁଷ୍ଠାନରେ ବାଂଲାଦେଶ ବିଚଳିତ ହୋଇ ଉଠିିଛି । ଭାରତ ଦ୍ୱାରା ବାଂଲାଦେଶର ଚଟ୍ଟଗାଓଁ ସ୍ଥିତ ଭାରତୀୟ ଭିସା ଆବେଦନ କେନ୍ଦ୍ରରେ ଭିସା ସେବା ନିଲମ୍ବିତ କରାଯିବା ପରେ ବାଂଲାଦେଶ ମଧ୍ୟ ଭାରତୀୟଙ୍କ ପାଇଁ ଭିସା ସେବା ଉପରେ ରୋକ୍ ଲଗାଇଛି । ଅଧିକାରୀ ସୋମବାର କହିଛନ୍ତି ଯେ, ନୂଆଦିଲ୍ଲୀରେ ବାଂଲାଦେଶ ଉଚ୍ଚାୟୋଗରେ କନସୁଲାର ସେବା ଓ ଭିସା ଜାରି କରିବାର ପ୍ରକ୍ରିୟାକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖୁଛୁ ।
ଉଲ୍ଲେଖନୀୟ ଛାତ୍ର ନେତା ଉସ୍ମାନ ହାଦୀର ମୃତ୍ୟୁ ପରେ ବାଂଲାଦେଶରେ ଭୀଷଣ ହିଂସା ଦେଖିବାକୁ ମିଳୁଛି । ଏହି ସମୟରେ ଭାରତ ବିରୋଧୀ ପ୍ରଦର୍ଶନ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚି ଯାଇଛି । ସୋମବାର ବାଂଲାଦେଶର ଉଚ୍ଚାୟୋଗ ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କରାଯାଇଥିବା ସୂଚନା ଦେଇଛି । ବାଂଲାଦେଶର ମିଶନ କହିଛି ଯେ, ଅପରିହାର୍ଯ୍ୟ ପରିସ୍ଥିତି କାରଣରୁ ନୂଆଦିଲ୍ଲୀରେ ବାଂଲାଦେଶ ଉଚ୍ଚାୟୋଗ ସମସ୍ତ କନସୁଲାର ଓ ଭିସା ସେବାକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିଲମ୍ବିତ କରୁଛି ।
ଏହା ପୂର୍ବରୁ ଭାରତ ରବିବାର ଚଟ୍ଟଗାଓଁ ସ୍ଥିତ ଭାରତୀୟ ଭିସା ଆବେଦନ କେନ୍ଦ୍ରରେ ଭିସା ସେବାକୁ ନିଲମ୍ବିତ କରିଥିଲା । ଏଠାରେ ଭାରତୀୟ ସହାୟକ ଉଚ୍ଚାୟୋଗ କାର୍ଯ୍ୟାଳୟ ବାହାରେ ବହୁ ସଂଖ୍ୟାରେ ଉତ୍ତ୍ୟକ୍ତ ଲୋକେ ଏକତ୍ରିତ ହେବା ପରେ ଭାରତ ଏହି ପଦକ୍ଷେପ ନେଇଛି । ପ୍ରଦର୍ଶନକାରୀ ହାତରେ ଖଣ୍ଡା ଓ ମାରଣାସ୍ତ୍ର ସହ ସେଠାରେ ଉପସ୍ଥିତ ଥିଲେ । ଗୁରୁବାର ଚଟ୍ଟଗାଓଁ ସ୍ଥିତ ସହାୟକ ଉଚ୍ଚାୟୋଗକଙ୍କ ବାସଭବନ ଉପରେ ପଥରମାଡ ହୋଇଥିଲା । ଏହି ସବୁ ମଧ୍ୟରେ ବାଂଲାଦେଶର ସିଲହଟରେ ଭାରତୀୟ ସହାୟକ ଉଚ୍ଚାୟୋଗ କାର୍ଯ୍ୟାଳୟ ଓ ଭିସା ଆବେଦନ କେନ୍ଦ୍ରରେ ଶନିବାରଠୁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।
Also read: ହିଜାବ ବିବାଦ: ଡ. ନୁସରତ ପରଓ୍ଵିନଙ୍କ ଜଏନିଂକୁ ନେଇ ସସପେନ୍ସ, ସରକାର ଦେଲେ ଶେଷ ସୁଯୋଗ