କଟକ: ଆତଙ୍କବାଦୀ କାର୍ଯ୍ୟ କଳାପରେ ଲିପ୍ତ ଥିବା କଟକ ସାଲେପୁରର ଅବଦୁର ରେହମାନକୁ ହାଇକୋର୍ଟରୁ ଝଟକା ଲାଗିଛି । ମଙ୍ଗଳବାର ଓଡ଼ିଶା ଉଚ୍ଚ ନ୍ୟାୟଳୟ ଅବଦୁରର ଜାମିନ ଆବେଦନକୁ ଖାରଜ କରଛନ୍ତି । ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ରେହମାନର ଜାମିନ ଖାରଜ ହୋଇଛି । ଦେଶ ବିରୋଧୀ ଅପରାଧରେ ଲିପ୍ତ ଥିବାରୁ ଜାମିନ ଦେବାକୁ କୋର୍ଟ ମନା କରିଦେଇଛନ୍ତି ।
ଅବଦୁର ରେହମାନ ପାକିସ୍ତାନୀ ଆତଙ୍କୀ ସଂଗଠନ ସହିତ ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲା । ୨୦୧୫, ଡିସେମ୍ବର ୧୬ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛରୁ ଦିଲ୍ଲୀ ପୋଲିସ ଅବଦୁରକୁ ଗିରଫ କରିଥିଲା । ବେଆଇନ ମଦ୍ରାସା ଚଳାଇବା , ଅସ୍ତ୍ରଶସ୍ତ୍ର ତାଲିମ ଦେବା ଓ ଉତ୍ତେଜନା ପ୍ରବଣ ଭାଷଣ ଦେବା ଆଦିର ପ୍ରମାଣ ଦିଲ୍ଲୀ ପୋଲିସ ହାତରେ ଲାଗିଥିଲା। ଦିଲ୍ଲୀ ପୋଲିସ ଚାର୍ଜସିଟରେ ଦର୍ଶାଇଥିଲା ଅବଦୁର ରେହମାନ ପାକିସ୍ତାନ ଯାଇଥିଲା । ସେଠାରେ ୨୬/୧୧ ମୁମ୍ବାଇ ଆକ୍ରମଣର ମୋଷ୍ଟ ଓ୍ଵାଣ୍ଟେଡ୍ ଜାକି-ଉର-ରେହମାନ ଓ ସାଜିଦକୁ ଭେଟିଥିଲା । ପାକିସ୍ତାନ ଗସ୍ତ କରି ସେଠାରେ ଆତଙ୍କବାଦୀ ତାଲିମ ନେଇ ଫେରିଥିଲା । ତା ସହିତ ଅନ୍ୟମାନେ ମଧ୍ୟ ସାମିଲ ଥିଲେ । ସେମାନେ ହେଲେ ମହମ୍ମଦ ଆସିଫ, ଜାଫୁର ମାସୁଦ ଓ ଅବଦୁଲ ସାମି । ୨୦୨୩, ଫେବୃୟାରୀ ୧୧ ତାରିଖରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ । ସେ ବର୍ତ୍ତମାନ ଚୌଦ୍ୱାର ଜେଲରେ ରହିଛି ।
୨୦୨୦ରେ ମାଆର ଶ୍ରାଦ୍ଧ କାମ ପାଇଁ ଚୌଦ୍ୱାର ଜେଲରୁ ପଶ୍ଚିମକଚ୍ଛ ଗାଁକୁ ଆସିଥିଲା ରେହମାନ। ଦିଲ୍ଲୀ କୋର୍ଟ ୪ ଘଣ୍ଟା ପାଇଁ ପାରୋଲ ଅନୁମତି ଦେଇଥିବାରୁ କଡା ସୁରକ୍ଷା ଭିତରେ ରେହମାନକୁ ନିଜ ପୈତୃକ ଘରକୁ ଅଣାଯାଇଥିଲା।