ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ନାରୀ ନିର୍ଯ୍ୟାତନା ମାମଲା । ବାଲେଶ୍ୱର, ବଳଙ୍ଗା ଘଟଣା ପରେ ଏବେ ନୂଆ ନୂଆ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଅଧ୍ୟାପକଙ୍କ ଦ୍ୱାରା ନିର୍ଯ୍ୟାତନାର ଶିକାର ହୋଇଥିବା ବାଲେଶ୍ୱର ଫକୀର ମୋହନ କଲେଜର ପୀଡ଼ିତା ଆତ୍ମହୃତି କରିବା ଘଟଣା ମନରୁ ନ ଯାଉଣୁ ଏବେ ବିଭିନ୍ନ ଘଟଣାରେ ନେତାମାନେ ସାମିଲ ଥିବା ଘଟଣା ସବୁ ସାମ୍ନାକୁ ଆସୁଛି । ରାଜ୍ୟରେ ଏବେ ନାରୀ ସୁରକ୍ଷାକୁ ନେଇ ରାଜନୀତି ଜୋରଦାର ଚାଲିଥିବାବେଳେ ନିକଟରେ ଛାତ୍ର କଂଗ୍ରେସର ସଭାପତି ଉଦିତ୍ ପ୍ରଧାନଙ୍କୁ ପୋଲିସ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଥିଲା । ଉଦିତଙ୍କ ପରେ ଏବେ ପୁଣି ଜଣେ ନେତାଙ୍କ ନାଁରେ ଏହି ତାଲିକାରେ ଯୋଡି ହୋଇଛନ୍ତି । ବିଜେଡ଼ି ଦଳର ଜଣେ ଟାଣୁଆ କର୍ପୋରେଟରଙ୍କ ନାଁରେ ନାରୀ ନିର୍ଯ୍ୟାତନାର ଖବର ଆସିଛି, ଯାହାକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ ରାଜନୀତି ।
କେତେବେଳେ ଦଳୀୟ ବିଶୃଙ୍ଖଳା ପାଇଁ ତ କେତେବେଳେ ରାଜନୈତିକ କାର୍ଯ୍ୟକଳାପକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା କର୍ପୋରେଟର୍ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ସଙ୍ଗିନ୍ ଏହି ଅଭିଯୋଗ ଆସିଛି । ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଲକ୍ଷ୍ମୀସାଗର ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ ମାମଲା ରୁଜୁ କରିଛି । ପୁଲିସ ମାମଲା ରୁଜୁ ପରେ ଯୁବତୀଙ୍କ ଡାକ୍ତରୀ ମଇନା କରାଇବା ସହ ଯୁବତୀଙ୍କ ବୟାନ ରେକର୍ଡ କରିଛି ।
ଯୁବତୀ ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୨୦୨୩ ମସିହାରେ ସେ ୧୭ ବର୍ଷ ବୟସର ହୋଇଥିବା ବେଳେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗ ମୁତାବିକ ଏକ କାର୍ଯ୍ୟକ୍ରମରେ ତାଙ୍କର କର୍ପୋରେଟର୍ ଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ପରସ୍ପର ପରିଚିତ ହେବା ପରେ ଅମରେଶ ତାଙ୍କୁ ଏକ ମୋବାଇଲ୍ ଉପହାର ଦେଇଥିଲେ । କିଛିଦିନ କଥାବାର୍ତ୍ତା ପରେ ବାୟାଁ ଭଲପାଉଥିବା କହିଥିଲେ । ଏହାପରେ ବାୟାଁ ତାଙ୍କୁ ପୁରୀକୁ ନେଇ ସେଠାରେ ଜଣେ ସାଙ୍ଗଙ୍କ ଘରେ ରଖି ଶାରୀରିକ ସମ୍ପର୍କ ଏହାପରେ ବିଭିନ୍ନ ସମୟରେ ବୁଲାବୁଲି ସହ ଉଭୟ ସମ୍ପର୍କ ରଖିଥିଲେ । ଗତ ୨୦୨୪ ମସିହା ଫେବ୍ରୁଆରି ମାସରେ ସେ ଦୁଇମାସର ଗର୍ଭବତୀ ଥିବା ଜଣାଇବା ପରେ ବାୟାଁ ଚତୁରତାର ସହ ତାଙ୍କ ଗର୍ଭ ନଷ୍ଟ କରିଥିଲେ । ସେ କହିଥିଲେ ଯେ ମୋର ପତ୍ନୀଙ୍କ ସହ ଠିକ୍ ଚାଲିନାହିଁ । ମୁଁ କିଛି ମାସ ମଧ୍ୟରେ ଛାଡ଼ପତ୍ର ଦେବି ତେଣୁ ତୁମେ ଗର୍ଭ ନଷ୍ଟ କରିଦିଅ ଛାଡ଼ପତ୍ର ପରେ ଆମେ ବିବାହ କରିବା । ଏହାପରେ ଯୁବତୀ ଗର୍ଭ ନଷ୍ଟ କରିଥିଲେ ।
ଗର୍ଭ ନଷ୍ଟ ପରେ ମଧ୍ୟ ଉଭୟ ପୂର୍ବ ଭଳି ବିଭିନ୍ନ ସ୍ଥାନକୁ ଯାଇ ସମ୍ପର୍କ ରଖିଥିଲେ । ତେବେ ଗତ ଏପ୍ରିଲ୍ ମାସରେ ବାୟାଁ ଯୁବତୀଙ୍କୁ ନିଜ କାର୍ ରେ ନେଇ ହଠାତ୍ ତାଙ୍କଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲେ । ଆଉ ଦୂରେଇ ରହିବାକୁ କହିଥିଲେ । ଉଭୟଙ୍କ ଭିତରେ ଥିବା ସମ୍ପର୍କ ଓ ଘଟଣା ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । ଯାହାକୁ ନେଇ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କର୍ପୋରେଟର୍ ଅମରେଶ ଜେନା କହିଛନ୍ତି ଯେ ମୋ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର, ମୁଁ ସେ ଝିଅକୁ ଜାଣିନାହିଁ । ଯଦି ତଦନ୍ତରେ ପୁଲିସ ମୋର ସେଭଳି କିଛି ସମ୍ପୃକ୍ତି ପାଏ, ତେବେ ମୋତେ ଗିରଫ କରୁ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ଅମରେଶ ।