ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଚାଲିଛି । ପ୍ରଚଣ୍ତ ଖରାରେ କଲବଲ ହେଉଛନ୍ତି ରାଜ୍ୟବାସୀ । ପ୍ରବଳ ଖରା ହେତୁ ଅଂଶୁଘାତ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ତେବେ ସରକାରୀ ରିପୋର୍ଟ ଅନୁସାରେ ଏଯାବତ ରାଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବାଲେଶ୍ଵରର। ଆଜି ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।
ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଓ ହିଟ୍ ରିଲେଟେଡ ଇଲନେସ ଯୋଗୁ ୭୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ମୟୂରଭଞ୍ଜରେ ୭ ଓ ଅନୁଗୋଳରେ ୭ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ୬ ଜଣ ହିଟ୍ ରିଲେଟେଡ ଇଲନେସ ପାଇଁ ଭର୍ତ୍ତି ହୋଇଥିଲେ।
ଡାକ୍ତର ମିଶ୍ର କହିଛନ୍ତି ଯେ , ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପୂର୍ବରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଆବଶ୍ୟକ ଔଷଧ ରଖିବାକୁ କୁହାଯାଇଥିଲା।ଅତି ଆବଶ୍ୟକ ନପଡ଼ିଲେ ବୟସ୍କ, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଓ ଗର୍ଭବତୀ ମହିଳାମାନେ ଖରାରେ ବାହାରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି । ଯଦି ଯାଉଛନ୍ତି, ତା’ହେଲେ ସାଙ୍ଗରେ ଛତା, ପାଣି ଆଦି ନେଇ ଯାଆନ୍ତୁ ତଥା ମୁଣ୍ଡରେ ଓଦା କପଡ଼ା ପକାନ୍ତୁ ବୋଲି ସେ କହିଛନ୍ତି।