ମାଲକାନଗିରି: ଅନଲାଇନ୍ ଟ୍ରେଡିଂରେ ଟଙ୍କା ବଢ଼ିବାର ପ୍ରଲୋଭନରେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି ଯୁବକ । ଟ୍ରେଡିଂ ନାଁରେ ହୋଇଛି କୋଟି କୋଟି ଟଙ୍କାର ଠକେଇ । ଏପରିକି ଏକ ଅନଲାଇନ୍ ଟ୍ରେଡିଂ ଠକେଇର ଶୀକାର ହୋଇଥିବା ଯୁବକ ଜଣକ ହେଲେ ମାଲକାନଗିରି ଜିଲ୍ଲାର କେ. ଜିତେନ୍ଦ୍ର ପାତ୍ର । ଏ ନେଇ ସେ ମାଲକାନଗିରି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ମାମଲାରେ ଆସାମରୁ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଦେବଜୀତ ତ୍ରିପାଠୀ ହୋଇଥିବାବେଳେ ସେ ବଲାଙ୍ଗୀର ଜିଲ୍ଲାର ବୋଲି ଜଣାପଡ଼ିଛି ।
୨୦୧୮ ମସିହାରେ ମାଲକାନଗିରିର କେ.ଜିତେନ୍ଦ୍ର ପାତ୍ରଙ୍କ ନିକଟକୁ ଏକ ଫୋନ୍ କଲ୍ ଆସିଥିଲା । ଦେବଜୀତ ତ୍ରିପାଠୀ ନିଜକୁ କଟକର ଜଣେ ଅନଲାଇନ୍ ଟ୍ରେଡିଂ ଏଜେଣ୍ଟ୍ ବୋଲି ପରିଚୟ ଦେଇଥିଲେ । ୫୦ ହଜାର ଟଙ୍କା ଟ୍ରେଡିଂରେ ଲଗାଇଲେ ୨୦ ପ୍ରତିଶତ ଅଧିକ ଟଙ୍କା ମିଳିବ ବୋଲି ସେ ଜିତେନ୍ଦ୍ରଙ୍କୁ ପ୍ରଲୋଭନ ଦେଖାଇଥିଲେ । ଜିତେନ୍ଦ୍ର ଏହାକୁ ବିଶ୍ୱାସ କରି ପ୍ରାଥମିକ ପର୍ୟ୍ୟାୟରେ ୫୦ ହଜାର ଟଙ୍କା ଟ୍ରେଡିଂରେ ଲଗାଇବା ବଦଳରେ ଅଧିକ ଟଙ୍କା ମଧ୍ୟ ଲାଭ ବାବଦକୁ ପାଇଥିଲେ ।
ଏହା ପରେ ଜିତେନ୍ଦ୍ରଙ୍କ ବିଶ୍ୱାସ ଆହୁରି ଘନୀଭୂତ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ସେ ୪୦ ଲକ୍ଷ ଓ ୮୦ ଲକ୍ଷ ନିବେଶ କରିଥିଲେ । କିନ୍ତୁ ସେ ଆଉ ଟଙ୍କା ଫେରସ୍ତ ପାଇ ନ ଥିଲେ । ୨୦୨୪, ଅଗଷ୍ଟ ୯ ତାରିଖରେ ଜିତେନ୍ଦ୍ର ମାଲକାନଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଘଟଣାର ତଦନ୍ତ କରି ଶେଷରେ ଆସାମରୁ ଦେବଜୀତ ତ୍ରିପାଠୀକୁ ଧରିବାର ସଫଳ ହୋଇଛି ।
ଦେବଜୀତ ପ୍ରକୃତ ଘର ବଲାଙ୍ଗୀରରେ ହୋଇଥିବାବେଳେ ସେ କଟକର ବୋଲି ପରିଚୟ ଦେଉଥିଲା । ଏମିତିକି ସେ ପ୍ରାୟ ୫ ଜଣଙ୍କଠାରୁ ୩ କୋଟି ଟଙ୍କା ହଡ଼ପ କରିଥିବା । ତେବେ ଏହା ପୂର୍ବରୁ ମଧ୍ୟ ତା ନାଁରେ ଦୁଇ ଥର ମାମଲା ହୋଇଥିବା ଜଣାପଡ଼ିଛି । ସେ ବାରମ୍ବାର ସ୍ଥାନ ବଦଳାଉଥିଲା । ପୋଲିସ ତାକୁ ଆସାମରେ କୋର୍ଟରେ ହାଜର କରିବା ପରେ ରିମାଣ୍ଡରେ ଓଡ଼ିଶା ଆଣିଛି । ପଚରାଉଚରା ପରେ ଏଥିରେ ଆଉ କିଏ ସମ୍ପୃକ୍ତି ଅଛନ୍ତି ସେ ନେଇ ସ୍ପଷ୍ଟ ହୋଇପାରେ ।