ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଏକ ଲକ୍ଷ୍ମୀ ବସ୍ ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୨ ଜଣ ଗୁରୁତର ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ଦୁଇଟି ଗାଡ଼ିର ଡ୍ରାଇଭର ଚାପି ହୋଇ ରହିଥିବା ଜଣାପଡ଼ିଛି । ସ୍ଥାନୀୟ ଓ ପୋଲିସ ସମସ୍ତଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।
ପ୍ରାଥମିକ ସୂଚନା ଅନୁସାରେ, ଏକ ଲକ୍ଷ୍ମୀ ବସ ସୋମବାର ଯାତ୍ରୀଙ୍କୁ ନେଇ ଶାଳଚୁଆରୁ ଠାକୁରମଣ୍ଡା ଅଭିମୁଖେ ଯାତ୍ରା କରୁଥିଲା । ମହୁଲଡ଼ିଆ ଘୋଡ଼ାଗାଡ଼ି ନିକଟରେ ସାମ୍ନା ପଟୁ ଆସୁଥିବା ହାଇୱା ଏବଂ ବସ୍ ପରସ୍ପର ସହିତ ପିଟି ହୋଇଯାଇଥିଲା । ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଦୁଇଟି ଗାଡ଼ିର ଚାଳକ ଫସି ରହିଥିବା ଜଣାପଡ଼ିଛି । ଏ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି ସମସ୍ତଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରିବାକୁ ଚେଷ୍ଟା କରିଛି । ଖବର ଲେଖାଯିବା ବେଳକୁ ମୃତାହତଙ୍କ ବିଷୟରେ କିଛି ଜଣାପଡ଼ି ନ ଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଶୁଳିଆପଦା ଥାନା ବାଲିଶୁଳିଆ ଗାଁ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ କୋଷ୍ଠା ମେଡିକାଲକୁ ନେଇ ପ୍ରାଥମିକ ଚିକିତ୍ସା ପରେ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଖବରପାଇ ଶୁଳିଆପଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ପିକଅପକୁ ଜବତ୍ କରି ତଦନ୍ତ ଆରମ୍ଭ କରିଛି ।