ପୁରୀ : ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶ୍ରୀ ମନ୍ଦିରରେ ନିଳାଦ୍ରୀ ମହୋଦୟାଷ୍ଟମି ପାଳନ ହୋଇଥାଏ । ଏହି ତିଥିକୁ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଏ । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ଆଜିର ତିଥିରେ ଯଜ୍ଞ ମଣ୍ଡପରୁ ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଅଧିଷ୍ଠିତ କରାଯାଇଥିଲା । ଆଜିର ଦିବସରେ ମହାପ୍ରଭୁଙ୍କୁ ସୁବାସିତ ଜଳରେ ଅଭିଷେକ କରାଯାଏ । 108 ଜଳ କୁମ୍ଭରେ ଦାରୁଦିଁଅଙ୍କ ଜଳାଭିଷେକ ହୋଇଥାଏ । ଏଣୁ ସପ୍ତମୀ ରାତିରୁ ୧୦୮ ଜଳ କୁମ୍ଭ ଅଧିବାସ ହୋଇରହିଛି । ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଏହା ତ୍ରୟୋଦଶ ଯାତ୍ରା ତଥା ନିଳାଦ୍ରୀ ମହୋତ୍ସବ ।
ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ପ୍ରମୁଖ ଯାତ୍ରା ମଧ୍ୟରୁ ନିଳାଦ୍ରୀ ମହୋଦୟ ଅନ୍ୟତମ ପ୍ରମୁଖ ଯାତ୍ରା ହୋଇଥିବାରୁ ବିଶେଷ ନୀତି ଅନୁଷ୍ଠିତ ହେବ ।ସକାଳ ଧୂପ ପରେ ଆଲଟ ଲାଗି ନୀତି ଶେଷ କରାଯାଇ ଅଧିବାସ ହୋଇ ରହିଥିବା ୧୦୮ ଗଡୁ ଜଳକୁ ରତ୍ନ ସିଂହାସନ ନିକଟକୁ ଅଣାଯିବ । ପୂଜାପଣ୍ଡା ସେବକ ମାନେ ଅଧିବାସ ଜଳକୁ ସଂସ୍କାର କରିବା ପରେ ମହାପ୍ରଭୁଙ୍କ ସମ୍ମୁଖରେ ଦର୍ପଣ ରଖାଯାଇ ମହାସ୍ନାନ ନୀତି କରାଯିବ । ପରେ ନୂଆ ବସ୍ତ୍ର ଲାଗି ହେବାସହ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକଙ୍କ ଦ୍ୱାରା ବିଶେଷ ନୀତି କରାଯିବ ।
ସ୍କନ୍ଦ ପୁରାଣ ଅନୁସାରେ ବୈଶାଖ ମାସ ପୁଷ୍ୟାଯୋଗଯୁକ୍ତ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସ୍ୱୟଂ ପ୍ରଭୂ ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ । ଏଣୁ ଉକ୍ତ ତିଥିରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବିଧି ହୋଇଥାଏ କୁହାଯାଏ ।
ତେବେ ଏହାକୁ ଶ୍ରୀମନ୍ଦିରର ବାର୍ଷିକୋତ୍ସବ ଭାବେ ମଧ୍ଯ ଗଣନା କରାଯାଏ । ଏହି ଦିନ ଦାନ, ତପସ୍ୟା ଓ ହୋମ ସହ ମହାପ୍ରଭୁଙ୍କୁ ସ୍ମରଣ ଓ ପୂଜା ପାଠ କଲେ ଅଶେଷ ପୂଣ୍ଯ ମିଳିବା ସହ କୋଟି ଜନ୍ମର ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।