ପଶ୍ଚିମବଙ୍ଗ: ଦୀଘାରେ ଜଗନ୍ନାଥ ଧାମକୁ ନେଇ ବିବାଦ ଥମିବାର ନାଁ ନେଉନି । ଏହାରି ଭିତରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦୀଘା ଜଗନ୍ନାଥ ଧାମକୁ ନେଇ ଏତେ ରାଗ କାହିଁକି ବୋଲି ପ୍ରଶ୍ନ କରି ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ମମତା କହିଛନ୍ତି ପୁରୀ ମନ୍ଦିର ଓ ଜଗନ୍ନାଥଙ୍କୁ ଆମେ ସମ୍ମାନ କରୁ ସାରା ଦେଶରେ କାଳୀ ମନ୍ଦିର ଓ ଗୁରୁଦ୍ୱାର ରହିଛି। ମାତ୍ର ଦୀଘା ମନ୍ଦିରକୁ ନେଇ ଏତେ ରାଗ କାହିଁକି ବୋଲି ପ୍ରଶ୍ନ କରିଛନ୍ତି।
ଏପ୍ରିଲ ୩୦ରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମ୍ସି) ସରକାରଙ୍କ ପକ୍ଷରୁ ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ନେଇ ବିବାଦ ଉଠିଛି। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁରୀ ଶ୍ରୀମନ୍ଦିରର କେତେଜଣ ସେବାୟତ ଯୋଗଦେଇଥିବାବେଳେ ସମ୍ପୃକ୍ତ ସ୍ଥାନକୁ ‘ଜଗନ୍ନାଥ ଧାମ’ ରୂପେ ନାମକରଣ କରାଯାଇଛି। ଏପରି କି ନବକଳେବର ଦାରୁରେ ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ବ୍ରହ୍ମସ୍ଥାପନ ହୋଇଥିବା ଚର୍ଚ୍ଚା ହେଉଛି।
ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ବରିଷ୍ଠ ସେବାୟତ ମାଧବ ମହାପାତ୍ର କହିଛନ୍ତି, ଏହା ହେଉଛି ଓଡ଼ିଆ ଜାତି ଓ ମହାପ୍ରଭୁଙ୍କ ସ୍ବାଭିମାନର ପ୍ରଶ୍ନ। ଏହି ସ୍ବାଭିମାନକୁ ସର୍ବଦା ଚ୍ୟାଲେଞ୍ଜ କରିବା ଭଳି କାର୍ଯ୍ୟ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଅତୀତରେ ରସଗୋଲା ଘଟଣା ହେଉ କି ବର୍ତ୍ତମାନର ଜଗନ୍ନାଥ ଧାମ ପ୍ରସଙ୍ଗ ହେଉ, ସବୁକ୍ଷେତ୍ରରେ ଓଡ଼ିଶାର ମାନ ଅଭିମାନ କ୍ଷୁଣ୍ଣ ହେବା ନେଇ ଅପଚେଷ୍ଟା କରାଯାଉଛି।
ସେହିପରି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ଏଭଳି କାର୍ଯ୍ୟ ନିମନ୍ତେ ଜଗନ୍ନାଥ ସଂସ୍କୃତିର ହାନି ହେଉଛି। ନିଯୋଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା କି କୌଣସି ସ୍ଥାନରେ ସୂପକାର ରୋଷେଇ କରିବେ ନାହିଁ। ତେବେ ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରରେ ରୋଷେଇ ପାଇଁ କେତେଜଣ ସୂପକାର ଯାଉଥିବା ଖବର ମିଳିଥିଲା। ଫଳରେ ନିଯୋଗ ପକ୍ଷରୁ ବିରୋଧ କରାଯାଇ ନୋଟିସ୍ କରାଯାଇଥିଲା। ତେଣୁ କୌଣସି ସୂପକାର ବା କର୍ମଚାରୀ ସେଥିରେ ଯୋଗଦାନ କରିନାହାନ୍ତି। ତେଣୁ ସମସ୍ତଙ୍କୁ ଧନ୍ୟବାଦ।
ସେହିପରି ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି, ଦୀଘା କେବେ ଧାମ ହୋଇପାରିବ ନାହିଁ, ଦୀଘା ଗୋଟିଏ ମନ୍ଦିର ଓ ପର୍ଯ୍ୟଟନସ୍ଥଳ। ଯେଉଁମାନେ ସେଠାକୁ ଯାଇଥିଲେ, ସେମାନେ ତାଙ୍କର ବଡ଼ିମା ଦେଖାଇବା ପାଇଁ ଯାଇଥିଲେ। ବେପାର ଉଦେଶ୍ୟରେ ଯାଇଛନ୍ତି। ମମତା ବାନାର୍ଜୀ ବ୍ୟବସାୟ କରିବା ପାଇଁ ମନ୍ଦିର ନିର୍ମାଣ କରିଛନ୍ତି। ବ୍ରହ୍ମ ସଂସ୍ଥାପନ ଓ ଘଟ ପରିବର୍ତ୍ତନ ଆଦି କେବଳ ଶ୍ରୀମନ୍ଦିରରେ ହୋଇଥାଏ।