ଭୁବନେଶ୍ୱର: ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣକୁ ନେଇ ବିବାଦ ଥମୁ ନଥିବା ବେଳେ ଆଜି ଲୋକସେବା ଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ବୈଠକରେ ଯୋଗ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ।
‘ଦାରୁ’ ବିବାଦ, ଦୀଘା ଜଗନ୍ନାଥ ଧାମ ବିବାଦ, ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗ, ପଶ୍ଚିମବଙ୍ଗରେ ଚାଲିଥିବା ବୟକଟ୍ ପୁରୀ କ୍ୟାମ୍ପେନ ପ୍ରସଙ୍ଗରେ ବିସ୍ତୃତ ଭାବେ ବୈଠକରେ ଆଲୋଚନା କରାଯିବ। ଗତକାଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଏଥିରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ପ୍ରାୟ ୪୫ ମିନିଟ୍ ଜେରା କରାଯାଇଥିଲା। ଆଜିର ବୈଠକରେ ମନ୍ତ୍ରୀଙ୍କୁ କାଲିର ବୈଠକ ବିଷୟରେ ଅବଗତ କରାଯିବ। ବୈଠକରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ସରକାର।
ପୁରୀ ଜଗନ୍ନାଥ ମନ୍ଦିରର ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର ପଶ୍ଚିମବଙ୍ଗର କିଛି ଗଣମାଧ୍ୟମ ଚ୍ୟାନେଲକୁ, ଦ୍ୱାଦଶ ଶତାବ୍ଦୀର ମନ୍ଦିରରେ ୨୦୧୫ ନବକଳେବର ରୀତିନୀତିରୁ ଅତିରିକ୍ତ ନିମ କାଠ ମୂର୍ତ୍ତି ନିର୍ମାଣ ପାଇଁ ଦୀଘା ନିଆଯାଇଥିଲା ବୋଲି କହିଛନ୍ତି। ଏଥିସହିତ ଦାସମହାପାତ୍ରଙ୍କ ସମେତ ପୁରୀ ଜଗନ୍ନାଥ ମନ୍ଦିରର କିଛି ସେବକ ସମ୍ପ୍ରତି ଦୀଘା ମନ୍ଦିର ଉଦଘାଟନରେ ଯୋଗ ଦେଇଥିଲେ। ତାଥାପି, ଦାସମହାପାତ୍ର ପରେ ସ୍ପଷ୍ଟ କରିଥିଲେ ଯେ ସେ କୌଣସି ଗଣମାଧ୍ୟମ ଚ୍ୟାନେଲକୁ ଏପରି କହି ନାହାଁନ୍ତି।
ଯାହାକୁ ନେଇ ଆଇନ ମନ୍ତ୍ରୀ ମନ୍ଦିର ପ୍ରଶାସନ ମୁଖ୍ୟ ଅରବିନ୍ଦ ପାଢୀଙ୍କୁ ଏ ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ଆଜି ଲୋକସେବା ଭବନରେ ବସିଛି ଗୁରୁତ୍ୱୂପର୍ଣ୍ଣ ବୈଠକ ।