ଭୁବନେଶ୍ୱର: ସାଢ଼େ ୪ କୋଟି ଓଡ଼ିଆଙ୍କ ଭାବାବେଗକୁ କୁଠାରଘାତ କରିଛନ୍ତି ପଶ୍ଚିମବଙ୍ଗ ସରକାର । ପୂର୍ବରୁ ଆଳୁ ଓ ସୀମାକୁ ନେଇ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ବିବାଦ ରହିଥିବାବେଳେ ଶେଷରେ ଜଗନ୍ନାଥଙ୍କୁ ନେଇ ଏହି ତିକ୍ତତା ବଢ଼ିଯାଇଛି । ଶେଷରେ ଏବେ ପୁରୀ ପର୍ଯ୍ୟଟନକୁ ବୟକଟ୍ କରିବାକୁ ହୀନ ପ୍ରୟାସ କରିଛନ୍ତି ବଙ୍ଗୀୟ ସରକାର ।
ମମତା ବାନାର୍ଜୀ ସବୁ ସୀମା ଉଲ୍ଲଘଂନ କରିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଏବେ ଧିରେ ଧିରେ ବିବାଦ ଘନେଇବାରେ ଲାଗିଛି । ଉକ୍ତ ମନ୍ଦିରକୁ ଧାମ ବୋଲି ଘୋଷଣା କରିବା ପରେ କୋଟି କୋଟି ଓଡ଼ିଆ ଏହାକୁ ତୀବ୍ର ବିରୋଧ କରିଛନ୍ତି । ସେପଟେ ଓଡ଼ିଶାର ପର୍ଯ୍ୟଟନକୁ ମଧ୍ୟ ବଦନାମ କରିବାକୁ ଚେଷ୍ଟା ଜାରି ରହିଛି । ସୋସିଆଲ୍ ମିଡିଆରେ ‘ବେଙ୍ଗଲିଜ୍ ବୟ କଟ୍ ପୁରୀ ଟୁରିଜିମ୍’ର ପ୍ରଚାର କରାଯାଉଛି । ବେଙ୍ଗଲ୍ ୱାରିୟର୍ ନାମକ ଏକ ଆକାଉଣ୍ଟରେ ଏହା ପୋଷ୍ଟ କରାଯାଇଛି ।
ଅନ୍ୟପକ୍ଷରେ ଏହାକୁ ନେଇ ଓଡ଼ିଶାରେ ମଧ୍ୟ ଉତ୍ତେଜନା ବଢ଼ିବାରେ ଲାଗିଛି । ଏହା ମମତାଙ୍କ ହିନ୍ଦୁ ଭୋଟ୍ ବ୍ୟାଙ୍କ୍ ହାତେଇବାକୁ ଏକ ହୀନ ଷଡ଼ଯନ୍ତ୍ର ବୋଲି କୁହାଯାଉଛି । ପଶ୍ଚିମବଙ୍ଗରେ ଥିବା ଓଡ଼ିଆ ଏବଂ ହିନ୍ଦୁମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା କରାଯାଉଛି ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି ।
ଦେବୀ ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ ରାମ ଦାସ ମହାପାତ୍ର କହିଛନ୍ତି, ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ପୂର୍ବରୁ ମଧ୍ୟ ବେଙ୍ଗଲ୍ ଓ ଓଡ଼ିଶା ମଧ୍ୟରେ ଝଗଡ଼ା ହୋଇଥିଲା, ତାର ମଧ୍ୟ କୌଣସି ପ୍ରଭାବ ପଡ଼ି ନ ଥିଲା । ଯେତେ ଚକ୍ରାନ୍ତ କଲେ ମଧ୍ୟ ଜଗନ୍ନାଥଙ୍କ ଉପରେ କିଛି ପ୍ରଭାବ ନାହିଁ । ଏହା ନୀଚ ଓ ତୁଚ୍ଛ ରାଜନୀତି । ମୋଦୀଙ୍କୁ ଟାର୍ଗେଟ୍ କରି ଆଗାମୀ ନିର୍ବାଚନ ପାଇଁ ଏହା ଚକ୍ରାନ୍ତ ବୋଲି ରାମ ଦାସ ମହାପାତ୍ର କହିଛନ୍ତି ।