କେନ୍ଦୁଝର : ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫ ଓ ୬ ତାରିଖ ଅର୍ଥାତ ଆଜି ଓ ଆସନ୍ତାକାଲି ଗସ୍ତ କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନ ଧରଣୀଧର ନାଏକଙ୍କ ଜୟନ୍ତୀ ଅବସରରେ କୁସୁମିତାରେ ପାଳନ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିପ୍ଳବୀ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ମୁଖ୍ୟମନ୍ତ୍ରୀ । କୁସୁମିତା ଗ୍ରାମରେ ଆୟୋଜିତ ଏକ ଜନସମାବେଶରେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ଏହି ଅବସରରେ ବିପ୍ଲବୀ ଧରଣୀଧର ଭୂୟାଁଙ୍କ ଏନ୍ତୁଡିଶାଳ କୁସୁମିତାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିବେ । ଏଥିପାଇଁ ଭୂୟାଁ ସାଂସ୍କୃତିକ ସଙ୍ଗଠନ ଉତ୍ସାହିତ ହୋଇଉଠିଛି । ଗ୍ରାମବାସୀ ଏହି ବଡ଼ ପଦକ୍ଷେପ ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସୂଚନାଯୋଗ୍ୟ ବିପ୍ଳବୀ ଧରଣୀଧର କେନ୍ଦୁଝର ଜିଲ୍ଲାର ଗର୍ବ ଓ ଗୌରବ ଓ ସ୍ୱାଭିମାନର ପ୍ରତୀକ । ତତ୍କାଳୀନ ବ୍ରିଟିଶ ସମର୍ଥିତ ରାଜତନ୍ତ୍ରର ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ଧରଣୀଧରଙ୍କ ଭଳି ଆଦିବାସୀ ଯୁବକଙ୍କର ବିପ୍ଳବ ଇତିହାସରେ ଏକ ଉଲ୍ଲେଖନୀୟ ଅଧ୍ୟାୟ ଯୋଡ଼ିଛି । ତେବେ ନୂଆ ସରକାର ବିପ୍ଳବୀ ମାଟି ଧରଣୀଧରଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଧରଣୀଙ୍କ ବିପ୍ଳବ ସମ୍ପର୍କରେ ରାଜ୍ୟ ଓ ରାଜ୍ୟ ବାହାରର ଲୋକେ ଅନେକ ବିଷୟ ଜାଣିନାହାନ୍ତି । ତେଣୁ କୁସୁମିତା ଗ୍ରାମରେ ଏକ ସ୍ମୃତି ସଂଗ୍ରାହଳୟ, ପାଠାଗାର, ଖେଳ ପଡ଼ିଆ ସହିତ ବିପ୍ଳବୀଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାସହିତ ଶିଶୁ ଉଦ୍ୟାନ କରାଯାଇଛି।
ବିପ୍ଳବୀ ଧରଣୀଧର ବ୍ୟବହାର କରୁଥିବା କୂଅକୁ ମଧ୍ୟ ପୁନରୁଦ୍ଧାର ଏବଂ ସଂରକ୍ଷିତ କରାଯିବ। ପାଠାଗାରରେ ବିପ୍ଳବୀଙ୍କ ସମ୍ପର୍କରେ ଜନସାଧାରଣ ଜାଣିବା ପାଇଁ ସମସ୍ତ ପୁସ୍ତକ ବ୍ୟବସ୍ଥା ରହିବ । ଏହାସହିତ ବିପ୍ଳବୀ ଧରଣୀଧରଙ୍କ ସମ୍ପର୍କରେ ସମସ୍ତେ ଜାଣିବାପାଇଁ ସବିଶେଷ ତଥ୍ୟ ସ୍ମୃତି ସଂଗ୍ରାଳୟରେ ଉପଲବ୍ଧ ହେବ । ଏହି ଐତିହ୍ୟ ଗ୍ରାମ ପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ କରିବା ଲକ୍ଷ୍ୟ ରଖିଛନ୍ତି ।
ସେହିପରି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧରଣୀଧର ମେଡିକାଲ କଲେଜରେ ଟ୍ରମା କେୟାର ସେଣ୍ଟରର ଶୁଭାରମ୍ଭ କରିବା ସହ ନବ ନିର୍ମିତ ଟାଉନ ଥାନାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଅନୁଷ୍ଠିତ ତିନିଦିନ ବ୍ୟାପୀ ରଙ୍ଗବତୀ ମହୋତ୍ସବକୁ ମଧ୍ୟ ଉଦଘାଟନ କରିବେ । ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଯିବାର କାର୍ଯ୍ୟକ୍ରମ ରହିଛି ।