ଭୁବନେଶ୍ୱର: ପୁରୀରେ ଶରଧାବାଲିରେ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନବେଳେ ହୋଇଥିବା ଦଳାଚକଟା ମାମଲାରେ ରାଜ୍ୟ ମାନବାଧିକାର ଆୟୋଗ ହସ୍ତକ୍ଷେପ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି ଓଏଚ୍ଆରସି ।
ସୁରକ୍ଷା ବ୍ୟବସ୍ଥାରେ କାହିଁକି ତ୍ରୁଟି ରହିଲା ସେ ନେଇ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅଘଟଣ ପରେ କ'ଣ ପଦକ୍ଷେପ ନିଆଯାଇଛି ଓ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିବାକୁ ଓଏଚ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ଏପରି ଘଟଣା ଯେମିତି ପୁନରାବୃତ୍ତି ନ ହୁଏ ସେଥିପ୍ରତି ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଜଣେ ଆଇନଜୀବୀଙ୍କ ଆବେଦନ ଉପରେ ଶୁଣାଣି କରି ଓଏଚଆରସି ରିପୋର୍ଟ ତଲବ କରିଛନ୍ତି ।
ଅନ୍ୟପକ୍ଷରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । । ଗୁଣ୍ଡିଚା ଦିନରେ ହୋଇଥିବା ତ୍ରୁଟି ଯେପରି ଆଗାମୀ ଦିନରେ ପୁନରାବୃତ୍ତି ନହୁଏ ସେଥିପ୍ରତି ପଦକ୍ଷେପ ନିଆଯାଇଥିବା ବୈଠକରେ ପରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ କୃପାରୁ ସବୁକିଛି ସଠିକ ଢଙ୍ଗରେ ପରିଚାଳନା ହେବ । ତେଣୁ ସମର୍ପଣ ଭାବ ନେଇ ନିଜ ନିଜର ଦାୟିତ୍ୱ ନିର୍ବାହ ଲାଗି ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀ ଓ ସେବାୟତଙ୍କୁ ପରାମର୍ଶ ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ରବିବାର ଭୋର ୩ଟା ୪୫ ମିନିଟରେ ପହୁଡ଼ ଫଟିବା ପରେ ଦର୍ଶନ ଆରମ୍ଭ ହୋଇଥିଲା । ଏହା ସମୟେର ଦଳାଚକଟା ହୋଇଥିଲା । ଫଳରେ ତିନି ଜଣ ଶ୍ରଦ୍ଧାଳୁଙ୍କ ଅକାଳ ବିୟୋଗ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ଅଠାନ୍ତର ବାଲିପାଟଣାର ପ୍ରଭାତୀ ଦାସ, ଗୋବର୍ଦ୍ଧନପୁର ଗ୍ରାମର ବାସନ୍ତୀ ସାହୁ ଏବଂ ଭୁବନେଶ୍ୱର ନୟାପଲ୍ଲୀର ପ୍ରେମକାନ୍ତ ମହାନ୍ତିଙ୍କ ମୃତ୍ୟୁ ହୋଇଛି । ଏହାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସରକାର ଜିଲ୍ଲାପାଳ ସିଦ୍ଧାର୍ଶ ଶଙ୍କର ସ୍ୱାଇଁ ଓ ଏସପି ବିନୀତ ଅଗ୍ରୱାଲଙ୍କ ବଦଳି କରାଯାଇଥିବାବେଳେ ଡିସିପି ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଏ.କେ ପାଢ଼ୀଙ୍କୁ ନିଲମ୍ବିତ କରାଯାଇଛି ।