ଭୁବନେଶ୍ୱର: ଓଡ଼ିଶାର ଶ୍ରବଣ ଦିବ୍ୟାଙ୍ଗ ଝିଅମାନଙ୍କୁ ଆତ୍ମନିର୍ଭର କରିବା ସହ ସେମାନଙ୍କ ପାଇଁ ସ୍ଥାୟୀ ରୋଜଗାରର ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି । ଶିଳ୍ପ ସହ ଦକ୍ଷତାର ସଂଯୋଗ ହେଲେ ଦିବ୍ୟାଙ୍ଗ ଝିଅମାନେ ମଧ୍ୟ ସ୍ୱାଭିମାନର ସହ ଜୀବନ ବିତାଇପାରିବେ ବୋଲି ସେ କହିଛନ୍ତି।
ଶନିବାର ଲୋକସେବା ଭବନରେ କେନ୍ଦୁଝରର ସେବା ଫାଉଣ୍ଡେସନର ପ୍ରାୟ ୫୦ ଜଣ ସଦସ୍ୟଙ୍କ ସହ ରାଜ୍ୟପାଳ ଆଲୋଚନା କରିଥିଲେ। ଏହି ଦଳରେ ଶ୍ରବଣ ଦିବ୍ୟାଙ୍ଗ ଝିଅ ଓ ଶାରୀରିକ ଦିବ୍ୟାଙ୍ଗ ବ୍ୟକ୍ତିମାନେ ସାମିଲ ଥିଲେ। ଆଲୋଚନା ସମୟରେ ସେବା ଫାଉଣ୍ଡେସନ ପକ୍ଷରୁ ଜଣାଯାଇଥିଲା ଯେ, ଶ୍ରବଣ ଦିବ୍ୟାଙ୍ଗ ଝିଅମାନଙ୍କୁ ସିଲେଇ ଓ ହସ୍ତଶିଳ୍ପର ପ୍ରଶିକ୍ଷଣ ଦିଆଯାଉଛି। ଏହି ପ୍ରୟାସକୁ ପ୍ରଶଂସା କରି ରାଜ୍ୟପାଳ ପରାମର୍ଶ ଦେଇଥିଲେ ଯେ, ଓଡ଼ିଶାରେ ପ୍ରସ୍ତାବିତ ବୟନ ଓ ବସ୍ତ୍ର ଶିଳ୍ପ ସହ ଏହି ପ୍ରଶିକ୍ଷିତ ଝିଅମାନଙ୍କୁ ଯୋଡ଼ାଯାଉ। ଏହାଦ୍ୱାରା ସେମାନେ ନିଜ ଦକ୍ଷତାକୁ କାମରେ ଲଗାଇ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ।
ରାଜ୍ୟପାଳ ଦିବ୍ୟାଙ୍ଗମାନଙ୍କୁ ମିଳୁଥିବା ସହାୟତା ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ବିଶେଷକରି ଶ୍ରବଣ ଯନ୍ତ୍ର (Hearing Aid) ଓ କୃତ୍ରିମ ଅଙ୍ଗ ଉପଲବ୍ଧତା ବିଷୟରେ ସେ ପଚାରି ବୁଝିଥିଲେ। ଆବଶ୍ୟକତା ଅନୁଯାୟୀ କର୍ପୋରେଟ୍ ସୋସିଆଲ୍ ରେସପନ୍ସିବିଲିଟି (CSR) ପାଣ୍ଠି ମାଧ୍ୟମରେ ଶ୍ରବଣ ଯନ୍ତ୍ର ଯୋଗାଇ ଦେବା ପାଇଁ ସେ ପ୍ରଶାସନକୁ ପରାମର୍ଶ ଦେଇଥିଲେ।
ଏହାପରେ ସମସ୍ତ ଅତିଥି ଲୋକସେବା ଭବନ ପରିସରର ଉଦ୍ୟାନ, ଅଟଳ ବନ ଓ ଡିଅର୍ ପାର୍କ ପରିଦର୍ଶନ କରିଥିଲେ। ସେମାନଙ୍କ ପାଇଁ ରବିବାର ପୁରୀ ଭ୍ରମଣର ମଧ୍ୟ ବ୍ୟବସ୍ଥା କରାଯାଇଛି।
ରାଜ୍ୟପାଳଙ୍କ ଏହି ପଦକ୍ଷେପ ଦିବ୍ୟାଙ୍ଗମାନଙ୍କୁ କେବଳ ସହାୟତା ନୁହେଁ, ବରଂ ସମାଜର ମୁଖ୍ୟ ସ୍ରୋତ ସହ ଯୋଡ଼ି ସମ୍ମାନଜନକ ଓ ସ୍ୱାବଲମ୍ବୀ ଜୀବନ ଗଢ଼ିବା ଦିଗରେ ଏକ ସକାରାତ୍ମକ ବାର୍ତ୍ତା ବୋଲି ମନେ କରାଯାଉଛି।