ଭୁବନେଶ୍ୱର: ଓଡ଼ିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବା ଓ ନୂଆ ଶିଳ୍ପ ପ୍ରତିଷ୍ଠାକୁ ଗତି ଦେବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ଅଗଷ୍ଟ ମାସରେ ନୂଆଦିଲ୍ଲୀରେ ‘ଇନଭେଷ୍ଟର୍ସ ରୋଡ୍ ଶୋ’ ଆୟୋଜନ କରାଯିବ। ଏଥିରେ ମୁଖ୍ୟ ଫୋକସ୍ ରହିବ ଖାଦ୍ୟ ପ୍ରକ୍ରିୟାକରଣ (ଫୁଡ୍ ପ୍ରୋସେସିଂ) କ୍ଷେତ୍ର ଉପରେ।
ଏହି ରୋଡ୍ ଶୋରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଟିମ୍ ଓଡ଼ିଶା’ର ନେତୃତ୍ୱ ନେବେ। ସେ ଦେଶର ବିଭିନ୍ନ ଶିଳ୍ପପତି ଓ ପୁଞ୍ଜିନିବେଶକଙ୍କ ସହ ସିଧାସଳଖ ଆଲୋଚନା କରି ଓଡ଼ିଶାରେ ଥିବା ନିବେଶ ସୁଯୋଗ ବିଷୟରେ ଅବଗତ କରାଇବେ।
ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାକୁ ବୟନ ଶିଳ୍ପ, ନବୀକରଣଯୋଗ୍ୟ ଶକ୍ତି, ରସାୟନ, ପେଟ୍ରୋକେମିକାଲ ଓ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟାପକ ପୁଞ୍ଜି ଆସିଛି। ଏବେ ସରକାରର ଲକ୍ଷ୍ୟ ହେଉଛି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଅଧିକ ନିବେଶ ଆଣିବା।
ସେ କହିଛନ୍ତି, ରାଜ୍ୟ ସରକାର ଏଭଳି ଶିଳ୍ପକୁ ପ୍ରାଧାନ୍ୟ ଦେଉଛନ୍ତି, ଯାହା ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରିପାରିବ। ସେହିସହିତ ଯେଉଁ କ୍ଷେତ୍ରର ଶିଳ୍ପ ଏପର୍ଯ୍ୟନ୍ତ ଓଡ଼ିଶାରେ ଗଢ଼ି ଉଠିନାହିଁ, ସେଗୁଡ଼ିକୁ ଆକର୍ଷିତ କରିବାକୁ ମଧ୍ୟ ସରକାର ଉଦ୍ୟମ କରୁଛନ୍ତି।
ଶିଳ୍ପ ପ୍ରତିଷ୍ଠା ସହ ଦକ୍ଷ ମାନବ ସମ୍ବଳ ସୃଷ୍ଟି ଉପରେ ମଧ୍ୟ ସରକାର ସମାନ ଗୁରୁତ୍ୱ ଦେଉଛନ୍ତି। ନୂଆ ଶିଳ୍ପରେ ଓଡ଼ିଶାର ଯୁବକ-ଯୁବତୀମାନେ ଯେପରି ଅଧିକ ନିଯୁକ୍ତି ସୁଯୋଗ ପାଇବେ, ସେଥିପାଇଁ ସେମାନଙ୍କୁ ଶିଳ୍ପ ଉପଯୋଗୀ ଦକ୍ଷତା ପ୍ରଦାନ କରାଯାଉଛି। ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶାର ସଫଳତା ରାଜ୍ୟର ଦକ୍ଷ ମାନବ ସମ୍ବଳର ପ୍ରମାଣ ବୋଲି ମନ୍ତ୍ରୀ କହିଛନ୍ତି। ଏହି ପଦକ୍ଷେପ ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ଲକ୍ଷ୍ୟ ପୂରଣରେ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି।