ସୁନ୍ଦରଗଡ଼: ମଦ ନିଶା ପୁଣି ଥରେ ସମ୍ପର୍କରେ ଫାଟ ସୃଷ୍ଟି କରିଛି। ସୁନ୍ଦରଗଡ଼ ଜିଲ୍ଲାରେ ମଦ ପିଇବା ପରେ ସାମାନ୍ୟ କଥାକୁ କେନ୍ଦ୍ର କରି ଜଣେ ଭିଣୋଇ ନିଜ ଶାଳକଙ୍କୁ କୁରାଢ଼ିରେ ଆକ୍ରମଣ କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆକ୍ରମଣରେ ଶାଳକ ଗୁରୁତର ଆହତ ହୋଇ ବର୍ତ୍ତମାନ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।
ଘଟଣାଟି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବଡ଼ଖଲିଆ ଗାଁରେ ଘଟିଛି। ଅଭିଯୁକ୍ତ ସାଗର ଓରାମ ଛତିଶଗଡ଼ରୁ ନିଜ ଶ୍ୱଶୁର ଘରକୁ ଆସିଥିଲେ। ସେଠାରେ ସେ ନିଜ ଶାଳକ ରତନଲାଲ ଓରାମଙ୍କ ସହ ବସି ମଦ ପିଇଥିଲେ। ମଦ୍ୟପାନ ସମୟରେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।
ଦେଖୁ ଦେଖୁ ଏହି ବଚସା ଉଗ୍ର ରୂପ ନେଇଥିଲା। ରାଗରେ ଉତ୍ତ୍ୟକ୍ତ ହୋଇ ସାଗର ଏକ କୁରାଢ଼ି ଆଣି ରତନଲାଲଙ୍କ ପିଠିକୁ ଚୋଟ ମାରିଥିଲେ। ଏହି ଆକ୍ରମଣରେ ତାଙ୍କ ପିଠିରେ ପ୍ରାୟ ୬ ଇଞ୍ଚ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ରତନଲାଲଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେ ଚିକିତ୍ସାଧୀନ ଅଛନ୍ତି।
ଏହି ଘଟଣା ପରେ ଆହତଙ୍କ ଦାଦା ରିତେଶ ଓରାମ ଲେଫ୍ରିପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ କେସ୍ ନମ୍ବର ୨୦୪ ରୁଜୁ କରି ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୨୯୬ ଓ ୧୦୯(୧) ଅନୁଯାୟୀ ମାମଲା ରୁଜୁ କରି ସାଗର ଓରାମଙ୍କୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆହତ ରତନଲାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି।