ଭୁବନେଶ୍ୱର: ଏଣିକି ସବୁ ଭିତ୍ତିଭୂମି ପ୍ରକଳ୍ପର ହେବ ନିରନ୍ତର ସମୀକ୍ଷା । ନିର୍ଦ୍ଧାରିତ ସମୟରେ ସରିବ ପ୍ରକଳ୍ପ । ରାଜ୍ୟରେ ବୃହତ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନିତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ‘ଷ୍ଟେଟ୍ ସ୍ପେଶାଲ୍ ସେଲ୍’ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରସ୍ତାବିତ ସେଲ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବାକୁ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ କାମ କରିବ । ଏହି ସେଲ ବିଭିନ୍ନ ବିଭାଗ ଦ୍ୱାରା ପରିଚାଳିତ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରୀ କରିବାକୁ ଡିଜାଇନ ପ୍ରସ୍ତୁତି ଠାରୁ ଆରମ୍ଭ କରି ଡିପିଆର ପ୍ରସ୍ତୁତି ପର୍ଯ୍ୟନ୍ତ ସାହାଯ୍ୟ କରିବ । ପ୍ରକଳ୍ପଗୁଡିକୁ ନିରନ୍ତର ସମୀକ୍ଷା ଓ ମୂଲ୍ୟାୟନ କରିବ ଏହି ସେଲ । ଏହାଦ୍ୱାରା ଏହି ସେଲ ସବୁ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଏକ ସିଙ୍ଗଲ ଓ୍ୱିଣ୍ଡୋ ଭାବେ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଗତ ମାର୍ଚ୍ଚ ୧୮ ତାରିଖରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପାଖକୁ ଏନେଇ ଚିଠି ଲେଖି ଏହି ନିର୍ଦ୍ଦେଶ ଦେବା ସହ ସେଲ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ପ୍ରଶାସନ ଏ ଦିଗରେ ଆଗକୁ ବଢ଼ିଛି । ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ସବୁ ବିଭାଗୀୟ ମୁଖ୍ୟମାନେ ଏହି ବୈଠକରେ ଯୋଗ ଦେବେ ।
ଭିଜନ ଓଡିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ ପାଇଁ ଆଗାମୀ ବର୍ଷଗୁଡ଼ିକରେ ପରିବହନ, ସହରୀ ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, ସୂଚନା ପ୍ରଯୁକ୍ତି ଓ ଶିଳ୍ପ କ୍ଷେତ୍ରରେ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ହାତକୁ ନିଆଯିବ । କିନ୍ତୁ ବର୍ତ୍ତମାନ ବିଭିନ୍ନ ବିଭାଗ ପୃଥକ ପୃଥକ ପରାମର୍ଶଦାତାଙ୍କ ମାଧ୍ୟମରେ ଡିପିଆର୍ ପ୍ରସ୍ତୁତ କରୁଥିବାରୁ ଡିଜାଇନ୍, ବ୍ୟୟ ଆକଳନ, ବୈଷୟିକ ମାନଦଣ୍ଡ ଓ ଯୋଜନା ପ୍ରଣାଳୀରେ ଅସମାନତା ଦେଖାଦେଉଛି । ଏହା ଯୋଗୁଁ ପ୍ରକଳ୍ପ ବିଳମ୍ବ, ବ୍ୟୟ ବୃଦ୍ଧି ଓ ଗୁଣବତ୍ତା ସମସ୍ୟା ସୃଷ୍ଟି ହେଉଛି । ଏହି ସମସ୍ୟାର ସମାଧାନ ପାଇଁ ଗଠନ ହେବାକୁ ଥିବା ଷ୍ଟେଟ୍ ସ୍ପେଶାଲ ସେଲ୍ ଏକ କେନ୍ଦ୍ରୀୟ ବୈଷୟିକ ସଂସ୍ଥା ଭାବେ କାର୍ଯ୍ୟ କରିବ । ଏହା ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ଯୋଜନା, ଡିପିଆର୍ ପ୍ରସ୍ତୁତି ଓ ଯାଞ୍ଚ, ଡିଜାଇନ୍ ମୂଲ୍ୟାଙ୍କନ, ବ୍ୟୟ ଯୁକ୍ତିସଙ୍ଗତକରଣ, ନିର୍ମାଣ ଗୁଣବତ୍ତା ନିଶ୍ଚିତକରଣ ଓ ପ୍ରକଳ୍ପ ନିରୀକ୍ଷଣ କରିବ । ଏହାସହ ସମସ୍ତ ବିଭାଗ ପାଇଁ ସମାନ ଡିପିଆର ଫର୍ମାଟ୍, ଡିଜାଇନ୍ ମାନଦଣ୍ଡ, କଷ୍ଟିଂ ପଦ୍ଧତି, ଷ୍ଟାଣ୍ଡାର୍ଡ ଟେମ୍ପ୍ଲେଟ୍, ରେଟ୍ ବ୍ୟାଙ୍କ ଓ ପ୍ରଯୁକ୍ତିଗତ ନିର୍ଦ୍ଦେଶିକା ପ୍ରସ୍ତୁତ କରାଯିବ । ଏଥିରେ ଦୀର୍ଘମିଆଦି ଭିତ୍ତିଭୂମି ପରିକଳ୍ପନା ୱିଙ୍ଗ୍, ପ୍ଲାନିଂ ଆଣ୍ଡ ମନିଟରିଂ ୱିଙ୍ଗ୍, ଆର୍କିଟେକ୍ଚରାଲ୍ ୱିଙ୍ଗ୍, ଡିପିଆର୍ ପ୍ରସ୍ତୁତି ଓ ସମୀକ୍ଷା ୱିଙ୍ଗ୍, ଷ୍ଟ୍ରକ୍ଚରାଲ୍ ଡିଜାଇନ୍ ୱିଙ୍ଗ୍, ଟ୍ରେନିଂ ୱିଙ୍ଗ୍ ଏବଂ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ୱିଙ୍ଗ୍ ଭଳି ସ୍ୱତନ୍ତ୍ର ଶାଖା ରହିବ । ଏହି ସେଲରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ବିଲ୍ଡିଂ ଇନଫର୍ମେସନ୍ ମଡେଲିଂ, ଜିଆଇଏସ, ଡିଜିଟାଲ ଟ୍ୱିନ, ଡ୍ରୋନ ସର୍ଭେ, ଡିଜିଟାଲ୍ ସିମୁଲେସନ ଓ ଆଧୁନିକ ଇଞ୍ଜିନିୟରିଂ ପ୍ରଯୁକ୍ତିର ବ୍ୟବହାର କରାଯିବ ।
ଏହି ସେଲ କେବଳ ଡିଜାଇନ ଓ ଡିପିଆର ଯାଞ୍ଚ କରାଯିବ ନାହିଁ ବରଂ ସରକାରୀ ଇଞ୍ଜିନିୟର ଓ ବୈଷୟିକ କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ନିୟମିତ ପ୍ରଶିକ୍ଷଣ, ସମ୍ପୂର୍ଣ୍ଣ ଗୁଣବତ୍ତା ପରିଚାଳନା, ନୂତନ ନିର୍ମାଣ ପ୍ରଯୁକ୍ତି ଓ ଜଳବାୟୁ ସହନଶୀଳ ଭିତ୍ତିଭୂମି ଉପରେ ଗବେଷଣାକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ । ପ୍ରକଳ୍ପର ଡିଜାଇନ୍, ନିର୍ମାଣ ସାମଗ୍ରୀ ଓ ପ୍ରଯୁକ୍ତିର ଗୁଣବତ୍ତା ଯାଞ୍ଚ ପାଇଁ କ୍ୱାଲିଟି ଆସ୍ୟୁରାନ୍ସ ଏବଂ ଟେକ୍ନିକାଲ ଅଡିଟ୍ ବ୍ୟବସ୍ଥା ମଧ୍ୟ ରହିବ । ଗବେଷଣା ଓ ବୈଷୟିକ କ୍ଷମତା ବୃଦ୍ଧି ପାଇଁ ଆଇଆଇଟି ଭୁବନେଶ୍ୱର, ଏନ୍ଆଇଟି ରାଉରକେଲା, ବିପିୟୁଟି, ଆଉଟର୍ ଏବଂ ସ୍କୁଲ୍ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର ଭଳି ଅଗ୍ରଣୀ ଅନୁଷ୍ଠାନକ ସହଯୋଗ ନିଆଯିବ । ଏହାଦ୍ୱାରା ଗବେଷଣା, ବୈଷୟିକ ପରାମର୍ଶ ଓ ଇଞ୍ଜିନିୟରିଂ କ୍ଷମତା ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ । ଷ୍ଟେଟ୍ ସ୍ପେଶାଲ ସେଲ୍ କାର୍ଯ୍ୟକ୍ଷମ ହେଲେ ଭିତ୍ତିଭୂମି ପ୍ରକଳ୍ପର ଯୋଜନା ଓ ନିର୍ମାଣରେ ବିଳମ୍ବ ଓ ବ୍ୟୟ ବୃଦ୍ଧି କମିବ, ସରକାରଙ୍କ ନିଜସ୍ୱ ବୈଷୟିକ ଦକ୍ଷତା ବଢ଼ିବ, ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ସୁଦୃଢ଼ ହେବ ଏବଂ ରାଜ୍ୟରେ ବୈଜ୍ଞାନିକ, ଦୀର୍ଘସ୍ଥାୟୀ ଓ ଗୁଣାତ୍ମକ ଭିତ୍ତିଭୂମି ବିକାଶକୁ ନୂଆ ଦିଗ ମିଳିବ ବୋଲି ସରକାର ଆଶାବାଦୀ ଅଛନ୍ତି ।