କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କର ଅବୈଧଭାବେ ନିର୍ମିତ କାର୍ୟ୍ୟାଳୟ ଉପରେ ବୁଲଡୋଜର୍ ଚାଲିଛି । ଦକ୍ଷିଣ ୨୪ ପରଗନାର ଅମତାଲା-ବାରୁଇପୁରରେ ଥିବା ପାଞ୍ଚ ମହଲା ବିଶିଷ୍ଟ ବିଶାଳ କୋଠାକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ବେଆଇନ ଭାବରେ ନିର୍ମାଣ ଏହି କୋଠାର ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ଅଭିଷେକଙ୍କୁ ପୂର୍ବରୁ ନୋଟିସ୍ ଜାରି କରାଯାଇଥିଲା । ମାତ୍ର ଅଭିଷେକଙ୍କ ପକ୍ଷରୁ ଚିଠିର କୌଣସି ଜବାବ ମିଳିନଥିଲା । ଶନିବାର ଏହି କୋଠାକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତିନୋଟି ବୁଲଡୋଜର୍ ଉଚ୍ଛେଦ କାର୍ୟ୍ୟରେ ସାମିଲ ହୋଇଛି । ଘଟଣାସ୍ଥଳରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଜିଲ୍ଲା ପ୍ରଶାସନ ଦାବି କରିଛି ଏହି ପାଞ୍ଚ ମହଲା ବିଶିଷ୍ଟ କୋଠା ବେଆଇନଭାବେ ନିର୍ମାଣ କରାଯାଇଛି । କୋଠାର କୌଣସି ବିଧିବଦ୍ଧ କାଗଜପତ୍ର ନାହିଁ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠାରୁ ଏହା ବନ୍ଦ ରହିଥିଲା । କିନ୍ତୁ ଏହା ପୂର୍ବରୁ ଡାଇମଣ୍ଡ ହାର୍ବରର ଯେଉଁ ବୈଠକ ହେଉଥିଲା ଏହିଠାରେ ବସୁଥିଲା । ତୃଣମୂଳ କଂଗ୍ରେସ ପକ୍ଷରୁ ଏହି ବୈଠକ ଡକାଯାଉଥିଲା ।
କୋଲକାତା ମହାନଗର ନିଗମ ପକ୍ଷରୁ ଅଭିଷେକ ବାନାର୍ଜୀ, ତାଙ୍କ ପରିବାର ସଦସ୍ୟ ଏବଂ ତାଙ୍କ କମ୍ପାନୀ ଲିପ୍ସ ଏଣ୍ଡ ବାଉଣ୍ଡସ୍ ସହିତ ଜଡ଼ିତ ୧୭ଟି ସମ୍ପତ୍ତିର ଉଚ୍ଛେଦ ପାଇଁ ନୋଟିସ୍ ଜାରି ହୋଇଛି । ଏଥିରେ ଅଭିଷେକଙ୍କ ଶାନ୍ତିନିକେତନ ଘର ମଧ୍ୟ ସାମିଲ ରହିଛି ।