କଳାହାଣ୍ଡି: ବିକାଶର ଦାବି ଭିତରେ ଆଜି ବି ଅନେକ ଗାଁ ମୌଳିକ ସୁବିଧାରୁ ବଞ୍ଚିତ। କଳାହାଣ୍ଡି ଜିଲ୍ଲାରୁ ଆସିଥିବା ଏକ ହୃଦୟବିଦାରକ ଘଟଣା ପୁଣିଥରେ ଗ୍ରାମାଞ୍ଚଳର ଦୟନୀୟ ଚିତ୍ରକୁ ସାମ୍ନାକୁ ଆଣିଛି। ରାସ୍ତାର ଅବସ୍ଥା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିନଥିଲା। ଫଳରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଗ୍ରାମବାସୀମାନେ ପ୍ରାୟ ୨ କିଲୋମିଟର ଭାରରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନେଇଥିଲେ।
ଏହି ଘଟଣା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଘୁଟିଗୁଡ଼ା ଗାଁରେ ଘଟିଛି। ଗର୍ଭବତୀ ରଞ୍ଜିତା ମାଝୀ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରସବ ବେଦନା ଅନୁଭବ କରିଥିଲେ। ପରିବାର ଲୋକେ ସଙ୍ଗେସଙ୍ଗେ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ଗାଁକୁ ସଂଯୋଗ କରୁଥିବା କାଦୁଅ ଓ ଭଙ୍ଗା ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା। ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ସହାୟତା ନମିଳିବାରୁ ଆମ୍ବୁଲାନ୍ସ ଫେରିଯାଇଥିବା ଅଭିଯୋଗ ହୋଇଛି।
ଶନିବାର ସକାଳେ ପରିବାର ଲୋକେ ଏକ ଅଟୋ ଭଡ଼ା କରିଥିଲେ। ତେବେ ଅଟୋ ମଧ୍ୟ ଗାଁ ଭିତରକୁ ଯାଇପାରିନଥିଲା। ଶେଷରେ ଗ୍ରାମବାସୀମାନେ ଏକ ଅସ୍ଥାୟୀ ଭାର ପ୍ରସ୍ତୁତ କରି ରଞ୍ଜିତାଙ୍କୁ କାନ୍ଧରେ ବୋହି ପ୍ରାୟ ୨ କିଲୋମିଟର କାଦୁଅ ରାସ୍ତା ଅତିକ୍ରମ କରି ମୁଖ୍ୟ ସଡ଼କରେ ପହଞ୍ଚାଇଥିଲେ। ସେଠାରୁ ଅଟୋ ଯୋଗେ ତାଙ୍କୁ ଥୁଆମୂଳ ରାମପୁର କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନିଆଯାଇଥିଲା।
ଏହି ଘଟଣା ପରେ ପୁଣିଥରେ ଦୁର୍ଗମ ଅଞ୍ଚଳରେ ସର୍ବକାଳୀନ ସଡ଼କ ଓ ଜରୁରୀ ସ୍ୱାସ୍ଥ୍ୟସେବାର ଅଭାବ ନେଇ ପ୍ରଶ୍ନ ଉଠିଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ବହୁଥର ରାସ୍ତା ନିର୍ମାଣ ପାଇଁ ଦାବି କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ଫଳରେ ରୋଗୀ, ବୃଦ୍ଧ ଓ ଗର୍ଭବତୀ ମହିଳାମାନେ ଜରୁରୀ ସମୟରେ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ରାସ୍ତା ନିର୍ମାଣ ସହ ଉନ୍ନତ ସ୍ୱାସ୍ଥ୍ୟ ସଂଯୋଗ ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।