ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଦୁଇଟି ତଦନ୍ତ କମିଶନ ରିପୋର୍ଟ ନିଖୋଜ ମାମଲାରେ ତଦନ୍ତ ଜୋରଦାର ହୋଇଛି। ଏହି ମାମଲାରେ ପୂର୍ବତନ IT ସଚିବ ମନୋଜ ମିଶ୍ର ଶନିବାର କ୍ୟାପିଟାଲ ଥାନାରେ ହାଜର ହୋଇ ପୁଲିସ ସମ୍ମୁଖରେ ନିଜ ବୟାନ ରେକର୍ଡ କରିଛନ୍ତି।
ପୁଲିସର ପଚରାଉଚରା ପରେ ମନୋଜ ମିଶ୍ର କହିଛନ୍ତି ଯେ, ସେ ତଦନ୍ତକାରୀ ଅଧିକାରୀଙ୍କୁ ଆବଶ୍ୟକ ସମସ୍ତ ସୂଚନା ଦେଇଛନ୍ତି ଏବଂ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ମାମଲା ତଦନ୍ତାଧୀନ ଥିବାରୁ ଏନେଇ ଆଉ କୌଣସି ମନ୍ତବ୍ୟ ଦେବାକୁ ସେ ମନା କରିଥିଲେ।
କ୍ୟାପିଟାଲ ଥାନା ଆଇଆଇସି ରାଧାକାନ୍ତ ସାହୁ କହିଛନ୍ତି, ପୂର୍ବ ନିର୍ଦ୍ଧାରିତ ତାରିଖ ଜୁଲାଇ ୨୨ରେ ମନୋଜ ମିଶ୍ର ଉପସ୍ଥିତ ରହିପାରିବେ ନାହିଁ ବୋଲି ସେ ଆଗୁଆ ହାଜର ହୋଇଥିଲେ। ଏହି ମାମଲାରେ ପୂର୍ବତନ IAS ଅଧିକାରୀ ରାଜେଶ ବର୍ମାଙ୍କୁ ମଧ୍ୟ ସମନ କରାଯାଇଛି ଏବଂ ତାଙ୍କୁ ମଧ୍ୟ ପଚରାଉଚରା କରାଯିବ।
ସୂଚନାଯୋଗ୍ୟ, ଜୁନ୍ ୧୦ରେ ଗୃହ ବିଭାଗ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ସରକାର ପରିବର୍ତ୍ତନ ପରେ CMOରୁ ଗୃହ ବିଭାଗକୁ ଅନେକ ତଦନ୍ତ ରିପୋର୍ଟ ହସ୍ତାନ୍ତର ହୋଇଥିଲେ ମଧ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ନିଖୋଜ ରହିଛି।
ଏହି ଦୁଇଟି ରିପୋର୍ଟ ମଧ୍ୟରୁ ଗୋଟିଏ ୨୦୦୮ କନ୍ଧମାଳ ଦଙ୍ଗା ଘଟଣାର ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନ ରିପୋର୍ଟ ଏବଂ ଅନ୍ୟଟି ୨୦୧୬ର ଭୁବନେଶ୍ୱର ବେସରକାରୀ ହସ୍ପିଟାଲ ଅଗ୍ନିକାଣ୍ଡ ଉପରେ ରାଜସ୍ୱ କମିଶନରଙ୍କ ତଦନ୍ତ ରିପୋର୍ଟ ବୋଲି ଜଣାପଡ଼ିଛି।
ଘଟଣାକୁ ନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପ୍ରୟୋଜନ ପଡ଼ିଲେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପୁଣିଥରେ ଡକାଯାଇପାରେ ବୋଲି ପୁଲିସ ସୂଚନା ଦେଇଛି।