ପୁରୀ: ଆଜି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିବେ । ବାହୁଡ଼ା ଯାଏ ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀରେ ଦର୍ଶନ ଦେବେ ଶ୍ରୀଜୀଉ । ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁମାନେ ଆଗାମୀ ଛଅ ଦିନ ଯାଏ ଆଡ଼ପ ଅବଢ଼ା ପାଇବାର ସୌଭାଗ୍ୟ ଲାଭ କରିବେ ।
ଗୁରୁବାର ରଥ ଟଣା ଅଧାରୁ ଅଟକିଥିଲା । ଗତକାଲି ପୁନର୍ବାର ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ତିନି ରଥ ଗଡ଼ିଥିଲା । ପ୍ରଥମେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥ ମାର୍କେଟ ଛକ ନିକଟରୁ ଯାତ୍ରା ଆରମ୍ଭ କରିଥିଲା । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରିଚିକୋଟ ଛକରୁ ଟଣା ଯାଇଥିଲା । ରଥଯାତ୍ରାରେ ସିଂହଦ୍ୱାର ସମ୍ମୁଖରେ ଅଟକି ଥିବା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ଶରଧାବାଲିକୁ ଗଡ଼ିବା ଆରମ୍ଭ କରିଥିଲା । ଯେଉଁମାନେ ପ୍ରଥମ ଦିନରେ ମହାପ୍ରଭୁଙ୍କ ରଥ ଟାଣିବାର ସୁଯୋଗ ପାଇନଥିଲେ ସେମାନେ ଦ୍ୱିତୀୟ ଦିନରେ ରଥ ଦଉଡ଼ି ସ୍ପର୍ଶ କରି ଭାବବିହ୍ୱଳ ହୋଇପଡ଼ିଥିଲେ । ସତେ ଯେମିତି ଦୂର ଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ବାଟକୁ ଚାହିଁ ବସିଥିଲେ ଜଗତର ନାଥ ଜଗନ୍ନାଥ ।
ଗତକାଲି ରାତି ତମାମ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଆଜି ମଧ୍ୟ ସକାଳୁ ରଥାରୂଢ଼ ତିନି ଦିଅଙ୍କ ମଙ୍ଗଳ ଆଳତୀ ହୋଇଥିଲା । ସମସ୍ତ ନୀତିକାନ୍ତି ସୁରୁଖୁରେ ଜାରି ରହିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି । ଆଉ କିଛି ସମୟ ପରେ ଚାରମାଳ ଖଞ୍ଜା ଯିବ । ଏ ବର୍ଷ ଦୁଇଟି ସେଟ୍ ଚାରମାଳ ପ୍ରସ୍ତୁତ ହୋଇଛି । ଗୋଟିଏ ଶ୍ରୀମନ୍ଦିର ଓ ଅନ୍ୟଟି ଗୁଣ୍ଡିଚା ମନ୍ଦିରରେ ଅଛି । ସମସ୍ତ ନୀତିକାନ୍ତି ସମାପ୍ତ ହେବା ପରେ ସନ୍ଧ୍ୟା ୭ରୁ ସାଢ଼େ ୭ଟା ମଧ୍ୟରେ ଗୋଟି ପହଣ୍ଡି ଆରମ୍ଭ ହେବ । ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ଜନ୍ମବେଦୀକୁ ବିଜେ କରିବେ । ଆଡ଼ପ ବିଜେ ଏବଂ ଆଡ଼ପ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଗ୍ରହଣ କରାଯାଇଛି ।
ଆସନ୍ତାକାଲିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ଏହା ସହିତ ଆସନ୍ତାକାଲିଠାରୁ ଆଡ଼ପ ଅବଢ଼ା ମଧ୍ୟ ମିଳିବ ।