ଭୁବନେଶ୍ୱର: ଆଗାମୀ ପୌର ନିର୍ବାଚନ ପୂର୍ବରୁ ରାଜ୍ୟର ୩୫ଟି ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଚିଠା ପ୍ରକାଶ ପାଇଛି । ଆଗାମୀ ୧୫ ଦିନ ମଧ୍ୟରେ ନିର୍ଦ୍ଦେଶକ ଏବଂ ପୌର ପ୍ରଶାସନଙ୍କ କାର୍ଯ୍ୟାଳୟରେ ମତାମତ ଦାଖଲ କରିବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି । ଏଥିରେ ଆଉ କଣ ସଂଶୋଧନ କରାଯାଇପାରିବ ନିଜର ସୁଚିନ୍ତିତ ମତାମତ ଦେବାକୁ ଚିଠିରେ ଉଲ୍ଲେଖ ରହିଛି ।
ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ପାଇଁ ୧୧ଟି ପୌରାଧ୍ୟକ୍ଷ ମହିଳା ଅନୁସୂଚିତ ଜାତି , ୭ଟି ପଦ ଅନୁସୂଚିତ ଜାତି ଏବଂ ୭ଟି ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ୪ଟି ପଦ ଅନୁସୂଚିତ ଜନଜାତି ଏବଂ ୪ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୨ଟି ପଦ ଅଣସଂରକ୍ଷିତ ବର୍ଗ ପାଇଁ ଉଦ୍ଦିଷ୍ଟ ରହିଛି ।
ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ପାତ୍ରପୁର, ସାଲେପୁର, ବିଷମକଟକ, ଜଗନ୍ନାଥପ୍ରସାଦ, ତିହିଡ଼ି, ସୋହେଲା, ବୀରମହାରାଜପୁର, ନରସିଂହପୁର, ବଡ଼ମ୍ବା, ନର୍ଲା ଏବଂ ସିମୁଳିଆ ଏନ୍ଏସି ଅଧ୍ୟକ୍ଷ ପଦ ସଂରକ୍ଷଣ ପାଇଁ ପ୍ରସ୍ତାବ ରହିଛି। ସେହିପରି ଲୋଇସିଂହା, ପାଲଲହଡ଼ା, ଧୁଷୁରୀ, ଯଶିପୁର, ବସ୍ତା, ଟାଙ୍ଗୀ ଏନ୍ଏସି ଏବଂ ଛତ୍ରପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଆସନ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବ।
ଅନୁସୂଚିତ ଜନଜାତି ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ ଚିତ୍ରଡ଼ା, ବାଙ୍ଗିରିପୋଷି, କପ୍ତିପଦା ବେତନଟି, ବାମରା, ରେଙ୍ଗାଲି, ବୋରିଗୁମ୍ମା ଏନଏସି ଆସନ ସଂରକ୍ଷିତ ରହିଛି । ରାସଗୋବିନ୍ଦପୁର, ପୁର, ଗଁଦିଆ, ଜୟପାଟଣା, ଚଣ୍ଡିଖୋଲ ଆସନ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ସଂରକ୍ଷିତ ରଖାଯାଇଛି । ବୌଦ୍ଧଗଡ଼, ଆସିକା, ଭଞ୍ଜନଗର ଓ କବିସୂର୍ଯ୍ୟନଗର ପୌରାଧ୍ୟକ୍ଷ ଆସନ ମହିଳାଙ୍କ ପାଇଁ ସ୍ଥିର ରହିଚି । ପୋଲସରା ମ୍ୟୁନିସିପାଲିଟି ଏବଂ ଓଡ଼ଗାଁ ଏଏସି ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ରହିବ ।
ଅନ୍ୟ ଏକ ବିଜ୍ଞପ୍ତିରେ ସମ୍ବଲପୁର ମହାନଗର ନିଗମ ମେୟର ପଦ ଅଣସଂରକ୍ଷିତ ରହିବ। ସେହିପରି ନବଗଠିତ ପୁରୀ ମହାନଗର ନିଗମର ମେୟର ପଦ ଅନୁସୂଚିତ ଜାତି ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବ।