ଭୁବନେଶ୍ୱର: ରଥଯାତ୍ରା ଅଘଟଣ ପାଇଁ ରାଜ୍ୟ ମାନବାଧିକାର ଆୟୋଗ ଜବାବ ତଲବ କରିଛନ୍ତି । କେଉଁ ତ୍ରୁଟି ପାଇଁ ଅଘଟଣ ଘଟିଲା ଏବଂ ଦୁଇ ଜଣଙ୍କର ମୃତ୍ୟୁ ହେଲା ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଓଏଚ୍ଆରସି ଜବାବ ମାଗିଛନ୍ତି । ସେହିପରି ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଆଗାମୀ ବାହୁଡା ଯାତ୍ରାକୁ ସୁରକ୍ଷିତ କରିବାକୁ ରାଜ୍ୟ ଗୃହ ବିଭାଗ, ପୁରୀ ଜିଲ୍ଲାପାଳ ଏବଂ ପୁରୀ ଏସପିଙ୍କୁ ମାନବାଧିକାର ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବି ନିଶିକାନ୍ତ ମିଶ୍ରଙ୍କ ରଥଯାତ୍ରା ଦଳାଚକଟାକୁ ନେଇ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ । ଯେଉଁ ଆବେଦନକୁ ମାନାବାଧିକାର ଆୟୋଗ ଗ୍ରହଣ କରିଛନ୍ତି ।
ରଥଯାତ୍ରା ଦିନ ମରିଚିକୋଟ ନିକଟରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ କରିଡରରେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ କେନ୍ଦୁଝରର ଅନୀଲ ଦାସ ଏବଂ ବିଶାଖାପାଟଣାର ଏସ୍. ପ୍ରକାଶ ରାଓ । ତେବେ ଏମାନଙ୍କ ମୃତ୍ୟୁ କିପରି ଘଟିଲା ସେ ନେଇ ତର୍ଜମା ଜାରି ରହିଥିବା ଆଇନ ମନ୍ତ୍ରୀ କହିଛନ୍ତି ।