ନୂଆଦିଲ୍ଲୀ: ଭାରତର ନିର୍ବାଚନ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ, ନିରପେକ୍ଷ ଓ ବିଶ୍ୱସନୀୟ କରିବା ଲକ୍ଷ୍ୟରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରେସି ଆଣ୍ଡ ଇଲେକ୍ସନ୍ ମ୍ୟାନେଜମେଣ୍ଟ (IIIDEM) ଠାରେ ‘ଅଲ୍ ଇଣ୍ଡିଆ ମିଡିଆ କନଫରେନ୍ସ–୨୦୨୬’ ଅନୁଷ୍ଠିତ ହୋଇଛି। ଏହି ଜାତୀୟ ସମ୍ମିଳନୀରେ ଓଡ଼ିଶାରୁ ୯ ଜଣ ବରିଷ୍ଠ ସାମ୍ବାଦିକ ଯୋଗଦେଇ ନିର୍ବାଚନ ପ୍ରକ୍ରିୟା, ଗଣମାଧ୍ୟମର ଭୂମିକା ଏବଂ ମତଦାତା ସଚେତନତା ଉପରେ ଆଲୋଚନା କରିଥିଲେ।
ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଥିଲେ ଯେ, ଭାରତର ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସମ୍ବିଧାନ, ନିର୍ବାଚନ ଆଇନ ଏବଂ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହୁଏ। ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟକୁ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ଦ୍ୱାରା ସମୀକ୍ଷା ଓ ଅଡିଟ୍ କରାଯାଏ, ଯାହା ନିର୍ବାଚନର ସ୍ୱଚ୍ଛତାକୁ ସୁନିଶ୍ଚିତ କରେ।
ସେ କହିଥିଲେ, ସମ୍ପ୍ରତି ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସର୍ବାଧିକ ମତଦାନ ହାର ଭାରତୀୟ ମତଦାତାଙ୍କର ନିର୍ବାଚନ ବ୍ୟବସ୍ଥା ପ୍ରତି ଗଭୀର ବିଶ୍ୱାସର ପ୍ରମାଣ। ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ପ୍ରକ୍ରିୟାରେ ଲୋକଙ୍କ ସକ୍ରିୟ ସହଭାଗିତା ପାଇଁ ସେ ମତଦାତାଙ୍କୁ ଧନ୍ୟବାଦ ଜଣାଇଥିଲେ।
ଚଳିତ ବର୍ଷର ସମ୍ମିଳନୀର ବିଷୟବସ୍ତୁ ଥିଲା ‘Connecting Stakeholders, Strengthening Democracy: Role of Media in Elections’। ଏଥିରେ ରାଜନୈତିକ ଦଳ, ପ୍ରାର୍ଥୀ, ନିର୍ବାଚନ କମିଶନ ଓ ଗଣମାଧ୍ୟମ ମଧ୍ୟରେ ସମନ୍ୱୟ ବଢ଼ାଇ ନିର୍ବାଚନକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବା ଉପରେ ଆଲୋଚନା ହୋଇଥିଲା।
ନିର୍ବାଚନ କମିଶନର ମିଡିଆ ମହାନିର୍ଦ୍ଦେଶକ ଆଶିଷ ଗୋଏଲ ଗଣମାଧ୍ୟମକୁ ନିର୍ବାଚନ କମିଶନ ଓ ମତଦାତାଙ୍କ ମଧ୍ୟରେ ଏକ “ଶକ୍ତିଶାଳୀ ସେତୁ” ବୋଲି ବର୍ଣ୍ଣନା କରିଥିଲେ। ଆଗାମୀ ନିର୍ବାଚନରେ ମତଦାତାଙ୍କ ନିକଟରେ ସଠିକ୍, ନିରପେକ୍ଷ ଓ ଯାଞ୍ଚ ହୋଇଥିବା ସୂଚନା ପହଞ୍ଚାଇବା ଏବଂ ଭୋଟର ତାଲିକାର SIR ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉପରେ ବରିଷ୍ଠ ସାମ୍ବାଦିକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।
ସୋସିଆଲ ମିଡିଆରେ ପ୍ରଚାରିତ ଭୁଲ୍ ଓ ବିଭ୍ରାନ୍ତିକର ଖବରକୁ ତୁରନ୍ତ ଚିହ୍ନଟ କରି ତାହାର ମୁକାବିଲା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରାଯାଇଥିଲା। କୌଣସି ସୂଚନା ପ୍ରକାଶ କିମ୍ବା ପ୍ରସାରଣ ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିର୍ବାଚନ କମିଶନ ଅନୁରୋଧ କରିଥିଲେ।
ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଦୀନମଣି ନାୟକଙ୍କ ନେତୃତ୍ୱରେ ରାଜ୍ୟରୁ ୯ ଜଣ ବରିଷ୍ଠ ସାମ୍ବାଦିକ ଏହି ସମ୍ମିଳନୀରେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ଜ୍ୟୋତି ପ୍ରକାଶ ଦାସ, ରବି ନାରାୟଣ ଜେନା, ଯାଜତି କରଣ, ଅଜିତ ଦେହୁରୀ, ଚୌଧୁରୀ ଅମିତାଭ ଦାସ, ଶକ୍ତିସାଇ ମିଶ୍ର, ମୁକେଶ ରଞ୍ଜନ ପରିଡ଼ା, ଅଭିଜିତ ସାମନ୍ତରାୟ ଓ ଯାଜତି କେଶରୀ ରାଉତ ସାମିଲ ଥିଲେ। ଏହି ସମ୍ମିଳନୀ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ଦାୟିତ୍ୱ ଓ ଭୂମିକାକୁ ପୁଣିଥରେ ଆଗକୁ ଆଣିଛି।