ସରକାରୀ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଅନିୟମିତତା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ଜୋରଦାର କରିଛି। ଶୁକ୍ରବାର କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍ ଭୁବନେଶ୍ୱରସ୍ଥିତ ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ ଅଥରିଟି (OSEPA) କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଯାଞ୍ଚ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ପଚରାଉଚରା କରିଛି।
ଡିଏସ୍ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଥିବା ତଦନ୍ତକାରୀ ଟିମ୍ ପାଠ୍ୟପୁସ୍ତକ ପ୍ରସ୍ତୁତି, ସମ୍ପାଦନା, ସମୀକ୍ଷା ଓ ପ୍ରକାଶନ ସହ ଜଡ଼ିତ ସମସ୍ତ ପ୍ରକ୍ରିୟାର ଦସ୍ତାବିଜ ଯାଞ୍ଚ କରିଥିଲେ। ପୁସ୍ତକଗୁଡ଼ିକ ମୁଦ୍ରଣ ଓ ବିଦ୍ୟାଳୟକୁ ବଣ୍ଟନ ପୂର୍ବରୁ ନିର୍ଦ୍ଧାରିତ ନିୟମାବଳୀ ଏବଂ ଗୁଣାତ୍ମକ ଯାଞ୍ଚ ସଠିକ୍ ଭାବେ ପାଳନ କରାଯାଇଥିଲା କି ନାହିଁ, ସେନେଇ ଖୋଳତାଡ଼ ଚାଲିଛି।
ଏହି ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ଟିମ୍ର ଚାରିଜଣ ସଦସ୍ୟ OSEPAର ଉପନିର୍ଦ୍ଦେଶକ ଇତିଶ୍ରୀ ନାୟକଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲେ। ପାଠ୍ୟପୁସ୍ତକର ଖସଡ଼ା ପ୍ରସ୍ତୁତି, ସମୀକ୍ଷା, ଅନୁମୋଦନ ଓ ପ୍ରକାଶନ ପ୍ରକ୍ରିୟା କିଭଳି ସମ୍ପନ୍ନ ହୋଇଥିଲା, ସେନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଇଛି।
ତଦନ୍ତକାରୀ ସଂସ୍ଥା ଏବେ ପାଠ୍ୟପୁସ୍ତକ ପ୍ରକାଶନ ପ୍ରକ୍ରିୟା ସହ ଜଡ଼ିତ ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକାକୁ ମଧ୍ୟ ଖତିଆନ କରୁଛି। କେଉଁ ସ୍ତରରେ ତ୍ରୁଟି ହୋଇଛି, କାହା ଅବହେଳା ଯୋଗୁଁ ଛାତ୍ରଛାତ୍ରୀଙ୍କ ହାତକୁ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପହଞ୍ଚିଲା, ତାହାର ପ୍ରମାଣ ସଂଗ୍ରହ ଉପରେ କ୍ରାଇମବ୍ରାଞ୍ଚ ଗୁରୁତ୍ୱ ଦେଉଛି।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଏହି ମାମଲାରେ କ୍ରାଇମବ୍ରାଞ୍ଚ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଥିଲା। ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଅନୁମୋଦନ ପ୍ରକ୍ରିୟାରେ ତାଙ୍କ ଭୂମିକାକୁ ନେଇ ଦୀର୍ଘ ସମୟ ଧରି ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା।
ବର୍ତ୍ତମାନ କ୍ରାଇମବ୍ରାଞ୍ଚ ପକ୍ଷରୁ ଦସ୍ତାବିଜ ଯାଞ୍ଚ, ସମ୍ପୃକ୍ତ ଅଧିକାରୀଙ୍କ ବୟାନ ରେକର୍ଡ ଓ ପ୍ରମାଣ ସଂଗ୍ରହ କାମ ଜାରି ରହିଛି। ତଦନ୍ତରେ ଯେଉଁ ସବୁ ତଥ୍ୟ ସାମ୍ନାକୁ ଆସିବ, ସେହି ଆଧାରରେ ଆଗାମୀ ଦିନରେ ଆହୁରି କଡ଼ା ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।