କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରୁ ପୁଣି ଥରେ ସ୍ୱାସ୍ଥ୍ୟ ସେବାର ଏକ ଅଭାବନୀୟ ଓ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଏକ ଜୀବିତ ଶିଶୁକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୧ ମାସର ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ, ପରିବାର ଲୋକେ ଶିଶୁଟିକୁ ଘରକୁ ନେବା ସମୟରେ ସେ ଜୀବିତ ଥିବା ଜଣାପଡ଼ିଛି ।
ଅଭିଯୋଗ ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ତୁନଗାଁ ଗ୍ରାମର ସଞ୍ଜୟ ପଟେଲଙ୍କ ୧୧ ମାସର ଶିଶୁ ଅସୁସ୍ଥ ହୋଇପଡ଼ିବାରୁ ତାକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଅତି ଦୁଃଖ ମନରେ ପରିବାର ଲୋକେ ପୁଅର ମୃତ ଦେହ ଧରି ଘରକୁ ଫେରୁଥିଲେ । କିନ୍ତୁ ଅଧା ବାଟରେ ଶିଶୁଟିର ନିଶ୍ୱାସ ପ୍ରଶ୍ୱାସ ଚାଲୁଥିବା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶିଶୁଟି ଜୀବିତ ଥିବା ପରିବାର ଲୋକେ କହିଛନ୍ତି । ତେବେ ଏ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।