ବାଲେଶ୍ୱର: ଫସଲକୁ ଗୋରୁଙ୍କ ଦାଉରୁ ବଞ୍ଚାଇବା ପାଇଁ ବିଲ ଚାରିପଟେ ବିଛାଯାଇଥିବା ବିଦ୍ୟୁତ ତାର ଶେଷରେ ଦୁଇ ଜଣଙ୍କ ଜୀବନ ନେଇଛି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ମହିଷାପଣ୍ଡା ଗାଁରେ ଘଟିଥିବା ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ସୂଚନା ଅନୁଯାୟୀ, ଚାଷୀ ବାବୁଲାଲ ଦାସ ନିଜ ଧାନ ବିଲକୁ ଗୋରୁଙ୍କ ଦାଉରୁ ସୁରକ୍ଷା ଦେବା ପାଇଁ ବିଲ ଚାରିପଟେ ବିଦ୍ୟୁତ ତାର ସଂଯୋଗ କରିଥିଲେ। ଶନିବାର ସେ ବିଲକୁ ଯିବାବେଳେ ଅସାବଧାନତାବଶତଃ ସେହି ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ସେ ଘଟଣାସ୍ଥଳରେ ହିଁ ଗୁରୁତର ବିଦ୍ୟୁତ ଆଘାତର ଶିକାର ହୋଇଥିଲେ।
ବାବୁଲାଲଙ୍କୁ ବଞ୍ଚାଇବା ପାଇଁ ନିକଟରେ ରହୁଥିବା ବୃଦ୍ଧା ପାର୍ବତୀ ମୁଣ୍ଡା ତୁରନ୍ତ ଦୌଡ଼ି ଆସିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ମଧ୍ୟ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଘଟଣା ପରେ ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଆମ୍ବୁଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ମୃତଦେହକୁ ଉଦ୍ଧାର କରି ସିମୁଳିଆ କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ପଠାଇଥିଲେ। ସେଠାରେ ଉଭୟଙ୍କ ମୃତଦେହର ବ୍ୟବଚ୍ଛେଦ କରାଯିବ।
ଏହି ଘଟଣା ପରେ ଚାଷ ଜମିରେ ବେଆଇନ ଭାବେ ବିଦ୍ୟୁତ ତାର ବିଛାଇବାର ବିପଦ ପୁଣିଥରେ ସାମ୍ନାକୁ ଆସିଛି। ଏଭଳି ଅସାବଧାନତା କେବଳ ପଶୁ ନୁହେଁ, ମଣିଷର ଜୀବନ ମଧ୍ୟ ନେଇପାରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।