ଭୁବନେଶ୍ୱର: ଆମ ପାଇଁ ରାଜନୀତି କ୍ଷମତା ଭୋଗ କରିବାର ମାଧ୍ୟମ ନୁହେଁ, ବରଂ ଅନ୍ତିମ ଧାଡିରେ ଥିବା ଗରିବ ଲୋକର ସେବା କରିବାର ମାଧ୍ୟମ, ଯାହାକୁ ଆମେ ଅନ୍ତ୍ୟୋଦୟ କହୁ। ତେଣୁ, ଆପଣମାନେ ଅନ୍ତିମ ଧାଡି ପର୍ଯ୍ୟନ୍ତ ପହଞ୍ଚି, ଲୋକଙ୍କ ପାଇଁ କାମ କରନ୍ତୁ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇ ଏହା କହିଛନ୍ତି।
ଆଜି ଲୋକସେବା ଭବନ କନ୍ଭେନ୍ସନ ସେଣ୍ଟରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନେ ଯୋଗ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ସମସ୍ତଙ୍କଠାରୁ ଆଞ୍ଚଳିକ ସମସ୍ୟାଗୁଡିକୁ ଗୁରୁତ୍ୱର ସହିତ ଶୁଣି ଧୈର୍ଯ୍ୟର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି । ସମସ୍ୟାଗୁଡ଼ିକୁ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ । ତା ସହିତ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ମଧ୍ୟ ବିଭିନ୍ନ ବିଷୟ ଉପରେ ପଦକ୍ଷେପ ନେବେ। ସମସ୍ତ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଯେପରି ଉପଯୁକ୍ତ ସମ୍ମାନର ସହ କାମ କରିବେ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି । ଏ ସରକାର କାମରେ ବିଶ୍ୱାସ କରନ୍ତି । ତେଣୁ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝି ତଦନୁଯାୟୀ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:- ତ୍ୱରିତ ହେବ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ, ଗଠନ ହେବ ‘ଷ୍ଟେଟ୍ ସ୍ପେଶାଲ୍ ସେଲ୍’
ଆଲୋଚନାରେ ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ବିକାଶ ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲେ । ସରକାର କ୍ଷମତାକୁ ଆସିବା ପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ଜନଜାତି କଳା ଓ ସଂସ୍କୃତିର ବିବିଧତା ଆମ ଓଡିଶାର ଓ ଦେଶର ସାମଗ୍ରିକ ସଂସ୍କୃତିକୁ ଋଦ୍ଧିମନ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ବିକାଶ ଭି, ବିରାସତ ଭି’ ମନ୍ତ୍ରକୁ ଆଧାର କରି ତା’ର ସଂରକ୍ଷଣ ଓ ବିକାଶ ପାଇଁ କାମ କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଜନଜାତି ବିକାଶ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେହିପରି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଲକ୍ଷ୍ୟ ଉପରେ ଆଲୋକପାତ କରି କହିଛନ୍ତି ଯେ, ବିକାଶ କିଭଳି ତଳ ସ୍ତର ପର୍ଯ୍ୟନ୍ତ ପହଞ୍ଚିବ ତାକୁ ଲକ୍ଷ୍ୟ ରଖି ଏହି ପରିଷଦ ଗଠନ କରାଯାଇଛି । ଏହି ପରିଷଦ ମାଧ୍ୟମରେ, ଆପଣମାନଙ୍କ ଜରିଆରେ ଜନଜାତି ବିକାଶ ସହିତ ସେମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟ ସବୁଦିନ ପାଇଁ ସୁରକ୍ଷିତ ହୋଇ ରହିପାରିବ। ତୃଣମୂଳ ସ୍ତରରେ ରହିଥିବା ସମସ୍ୟା ସମ୍ପର୍କରେ ଆପଣମାନେ ସରକାରଙ୍କ ଦୃଷ୍ଟିକୁ ଆଣନ୍ତୁ । ତା’ର ସମାଧାନ କରାଯିବ। ନିଷ୍ଠାର ସହ ଜନଜାତି କଲ୍ୟାଣ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।
ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ଆମର ଉନ୍ନୟନ ପରିଷଦରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ନିଯୁକ୍ତି ଦିଆଯାଇଛି, ଯାହା ଏକ ଉତ୍ତମ ମଡେଲ। ୨୦୩୬ ଭିଜନକୁ ହାସଲ କରିବାକୁ ହେଲେ, ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ ବୋଲି ସେ କହିଥିଲେ।
ଉନ୍ନୟନ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବି. ପରମେଶ୍ୱରନ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ।