ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରାର ଆଉ ଏକ ପବିତ୍ର ଓ ଆକର୍ଷଣୀୟ ପର୍ବ ଆରମ୍ଭ ହୋଇଛି। ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଏବେ ଆଡ଼ପ ମଣ୍ଡପ ବିଜେ ନୀତି ଆରମ୍ଭ ହୋଇଛି। ଶରଧାବାଲିରେ ଦଣ୍ଡାୟମାନ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରୁ ପାରମ୍ପରିକ ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀ ବା ଆଡ଼ପ ମଣ୍ଡପକୁ ବିଜେ କରାଯାଉଛି।
ପାରମ୍ପରିକ ନୀତି ଅନୁଯାୟୀ ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କ ପହଣ୍ଡି ସମ୍ପନ୍ନ ହୋଇଛି। ଏହାପରେ ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତିମୟ ପରିବେଶ ମଧ୍ୟରେ ଜନ୍ମବେଦୀକୁ ବିଜେ କରାଯାଉଛି। ଢୋଲ, ଘଣ୍ଟ, କାହାଳୀ ଓ ହରିବୋଲ ଧ୍ୱନିରେ ସମଗ୍ର ଶରଧାବାଲି ଭକ୍ତିରସରେ ଭରିଯାଇଛି।
ପହଣ୍ଡି ନୀତି ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ, ଦଇତାପତି ସେବାୟତ ଏବଂ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରଥ ଚାରିପାଖରେ ଇନର ଓ ଆଉଟର କର୍ଡନ କରାଯାଇଥିବା ସହ ସ୍ୱତନ୍ତ୍ର ପୁଲିସ ଫୋର୍ସ ଏବଂ ସାଧା ପୋଷାକଧାରୀ ପୁଲିସ ମୁତୟନ ରହିଛନ୍ତି, ଯାହାଦ୍ୱାରା ନୀତି ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ।
ଆଡ଼ପ ମଣ୍ଡପ ବିଜେ ନୀତି ଶେଷ ହେବା ପରେ ଆସନ୍ତାକାଲିଠାରୁ ଭକ୍ତମାନେ ଜନ୍ମବେଦୀରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ କରିବା ସହ ଆଡ଼ପ ଅଭଡ଼ା ପାଇବାର ସୌଭାଗ୍ୟ ଲାଭ କରିବେ। ରଥଯାତ୍ରାର ଏହି ପବିତ୍ର ପର୍ବ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପରମ୍ପରା, ଯାହା ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କୁ ଶ୍ରୀକ୍ଷେତ୍ରକୁ ଟାଣି ଆଣିଥାଏ।