କଟକ: କଟକ ଏସ୍ସିବି ମେଡିକାଲର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଗଠିତ ନ୍ୟାୟିକ ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ପୁଣି ଥରେ ବୃଦ୍ଧି କରିଛନ୍ତି । ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ଏକକ ସଦସ୍ୟ ବିଶିଷ୍ଟ କମିଶନଙ୍କ କାର୍ଯ୍ୟକାଳ ଦୁଇ ମାସ ବୃଦ୍ଧି କରାଯାଇଛି । ଆସନ୍ତା ୧୫ ସେପ୍ଟେମ୍ବର ତଦନ୍ତ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ଗୃହ (ସ୍ୱତନ୍ତ୍ର) ବିଭାଗ ପକ୍ଷରୁ ନୂତନ ବିଜ୍ଞପ୍ତି ଜାରି ହୋଇଛି ।
ପୂର୍ବରୁ ଲକ୍ଷ୍ମୀଧର ବିଶ୍ୱାଳଙ୍କ ତଦନ୍ତ କମିଶନକୁ ୧୫ ଜୁଲାଇ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା । କିନ୍ତୁ ତଦନ୍ତ ଚାଲିଥିବାରୁ ସରକାର କମିଶନଙ୍କ କାର୍ଯ୍ୟକାଳକୁ ଆହୁରି ଦୁଇ ମାସ ବୃଦ୍ଧି କରିଛନ୍ତି । ଦ୍ୱିତୀୟ ଥର ପାଇଁ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ୧୫ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରିପୋର୍ଟ ଦାଖଲକୁ ସମୟ ସୀମା ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ୧୬ ମାର୍ଚ୍ଚ ୨୦୨୬ରେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ଆଇସିୟୁରେ ଚିକିତ୍ସାଧୀନ ୧୦ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସସିବିରେ ସ୍ଥିତି ପରଖିବା ପରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଅବସରପ୍ରାପ୍ତ ଜିଲ୍ଲା ବିଚାରପତି ଲକ୍ଷ୍ମୀଧର ବିଶ୍ୱାଳଙ୍କୁ ନେଇ ଆୟୋଗ ଗଠନ ହୋଇଥିଲା । ପ୍ରଥମେ ୬୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଥିଲା। ମେ' ମାସରେ ପୁନର୍ବାର କାର୍ଯ୍ୟକାଳକୁ ୧୫ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।
ଅଧିକ ପଢ଼ନ୍ତୁ:- ରଥଯାତ୍ରା ଅଘଟଣ: ମାନବାଧିକାର ଆୟୋଗଙ୍କ ଜବାବ ତଲବ