ନୂଆଦିଲ୍ଲୀ: ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ନୂତନ ଇତିହାସ ରଚିଛି । ଶନିବାର ଭାରତ ପ୍ରଥମ ଘରୋଇ ମହାକାଶ କମ୍ପାନୀ ସ୍କାଏରୁଟ ଏରୋସ୍ପେସ୍ ପ୍ରଥମ ପ୍ରାଇଭେଟ୍ ଅର୍ବିଟାଲ୍ ରକେଟ୍ ବିକ୍ରମ-୧ର ସଫଳ ପରୀକ୍ଷଣ କରିଛି । ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାରୁ ନିର୍ଦ୍ଧାରିତ ସମୟରୁ ୩୫ ମିନିଟ୍ ବିଳମ୍ବରେ ଅପରାହ୍ନ ୧୨ଟା ୫ ମିନିଟରେ ବିକ୍ରମ-୧ ଉତକ୍ଷେପଣ କରାଯାଇଛି । ଆଜି ସାଢ଼େ ଏଗାରଟାରେ ବିକ୍ରମ-୧ ଉତକ୍ଷେପଣ କରାଯିବାକୁ ସ୍ଥିର ହୋଇଥିଲା । ପ୍ରତିକୂଳ ପାଗ ଯୋଗୁଁ ଶେଷ ମୁହୂର୍ତ୍ତରେ ଉତକ୍ଷେପଣକୁ ରୋକା ଯାଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କାଏରୁଟର ଏହି ଐତିହାସିକ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଟିମ୍ ସମୟ ପୂର୍ବରୁ ନିଜର ଲକ୍ଷ୍ୟ ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଉତକ୍ଷେପଣ ପରେ ପ୍ରଧାନମନ୍ତ୍ରୀ ସ୍କାଏରୁଟ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ସିଧାସଳଖ ଫୋନ ଯୋଗେ ଆଲୋଚନା କରିଥିଲେ । ଏହି ସଫଳତାର କମ୍ପାନୀର ସମଗ୍ର ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।
ସ୍କାଏରୁଟ୍ ଏହାକୁ ‘ମିଶନ ଆଗମନ’ ନାମରେ ନାମିତ କରିଛି । ଏହା ଦେଶର ବାଣିଜ୍ୟିକ ମହାକାଶ କ୍ଷେତ୍ରରେ ଏକ ଐତିହାସିକ ଉପଲବ୍ଧି ଭାବେ ବିବେଚନା କରାଯାଉଛି ।'ମିଶନ ଆଗମନ' ଅଧୀନରେ ଉତକ୍ଷେପଣ କରାଯାଇଥିବା ବିକ୍ରମ-୧ ଏହାର ଚାରୋଟି ପର୍ୟ୍ୟାୟର କାର୍ୟ୍ୟଦକ୍ଷତା ସଫଳତାର ସହ ସମାପ୍ତ କରିଛି ଏବଂ ପ୍ରାୟ ୪୫୦ କିଲୋମିଟର ଉଚ୍ଚତାରେ ଏକ ନିମ୍ନ-ପୃଥିବୀ କକ୍ଷପଥ (ଖଋଙ) ରେ ଏହାର ପେଲୋଡ୍ ସଫଳତାର ସହ ସ୍ଥାପିତ କରିଛି । ବିକ୍ରମ-୧ ହେଉଛି ଭାରତର ପ୍ରଥମ ଘରୋଇ କକ୍ଷପଥ ବା ଅର୍ବିଟାଲ୍ ରକେଟ୍ ଯାହା ସମ୍ପୂର୍ଣ୍ଣ ହାଲୁକା । ଦୃଢ଼ କାର୍ବନ-ସମ୍ମିଶ୍ରଣରେ ନିର୍ମିତ ହୋଇଛି । କାର୍ବନ ଫାଇବର ଇସ୍ପାତ ଅପେକ୍ଷା ପାଞ୍ଚ ଗୁଣ ହାଲୁକା, ଯାହା ରକେଟର ଓଜନ ହ୍ରାସ କରେ ଏବଂ ଇନ୍ଧନ ଦକ୍ଷତା ବୃଦ୍ଧି କରେ । ରକେଟ୍କୁ ଶକ୍ତି ପ୍ରଦାନ କରିବା ପାଇଁ ଏଥିରେ ତିନୋଟି କଠିନ ଇନ୍ଧନ ପର୍ୟ୍ୟାୟ (ସଲିଡ୍ ଫ୍ୟୁଲ୍ ଷ୍ଟେଜ୍) ଏବଂ ଗୋଟିଏ ତରଳ କକ୍ଷ ମଡ୍ୟୁଲ୍ (ଲିକ୍ୟୁଇଡ୍ ମଡ୍ୟୁଲ୍) ରହିଛି । ସଲିଡ୍ ଷ୍ଟେଜରେ ରକେଟ୍କୁ ଭୂମିରୁ ଉଠାଇ ନିମ୍ନ ପୃଥିବୀ କକ୍ଷ ପଥକୁ ନେଇଯାଏ । ଲିକ୍ୟୁଇଡ୍ ମଡ୍ୟୁଲ୍ ମହାକାଶରେ ପହଞ୍ଚିବା ପରେ, ଏହା ଉପଗ୍ରହକୁ ସଠିକ୍ କକ୍ଷ ପଥକୁ ସ୍ଥାପନ କରିବାରେ ସାହାଯ୍ୟ କରେ । ପ୍ରାୟ ୧୬ ମିନିଟ୍ ର ପ୍ରାରମ୍ଭିକ ଉଡ଼ାଣ ପରେ ବିକ୍ରମ-୧ର ଘରୋଇ ଏବଂ ବିଦେଶୀ ପେଲୋଡ୍ ୪୫୦ କିଲୋମିଟର ଉଚ୍ଚତା ଏବଂ ୬୦ ଡିଗ୍ରୀରେ ନିମ୍ନ ପୃଥିବୀ କକ୍ଷପଥ (ଖଋଙ)ରେ ନିୟୋଜିତ ହେବାର ଆଶା କରାଯାଉଛି।