ଭୁବନେଶ୍ୱର: ରାଜ୍ୟ ସରକାର ଆଜି ପୋଲିସ କର୍ମଚାରୀଙ୍କୁ ଖୁସି କରିଛନ୍ତି । ରାଜ୍ୟ ପୋଲିସ ବିଭାଗରେ କନଷ୍ଟେବଳଠାରୁ ଇନ୍ସପେକ୍ଟର ପର୍ଯ୍ୟନ୍ତ କର୍ମଚାରୀଙ୍କ ପୋଷାକ ଭତ୍ତା ଦ୍ୱିଗୁଣିତ ହୋଇଛି । ସେହିପରି କନଷ୍ଟେବଳ, ସିପାହୀ ଏବଂ ସମାନ ର୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଏକ୍ଷ୍ଟ୍ରା ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶି ବଢ଼ିଛି । ଏହା ସହିତ ପୋଲିସ ବିଭାଗରେ ୧୬, ୦୫୯ଟି ନୂଆ ପଦବୀ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ପୋଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ ଇନ୍ସପେକ୍ଟରମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୩୦୦ ରୁ ୮୬୦୦ ଟଙ୍କା, ସବ୍ଇନ୍ସପେକ୍ଟର ଓ ଏ.ଏସ୍.ଆଇମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୨୦୦ ଟଙ୍କାରୁ ୮୪୦୦ ଟଙ୍କା, ହାବିଲଦାର, କନେଷ୍ଟବଳ ଓ ସିପାହୀମାନଙ୍କ ପାଇଁ ୫୦୦୦ ରୁ ୧୦,୦୦୦ ଟଙ୍କା ଏବଂ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀମାନଙ୍କ ପାଇଁ ପୋଷାକ ଭତ୍ତାର ପରିମାଣ ବାର୍ଷିକ ୫୯୦୦ ଟଙ୍କାରୁ ୧୧,୮୦୦ ଟଙ୍କାକୁ ବୃଦ୍ଧି ପାଇଛି ।
ସେହିପରି କନେଷ୍ଟବଳ, ସିପାହୀ ଓ ସମାନ ର୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଏକ୍ଷ୍ଟ୍ରା ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶିକୁ (Extra Duty Incentive) ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ସହିତ ହାବିଲଦାର ଓ ସମାନ ର୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ପ୍ରୋତ୍ସାହନ ରାଶିକୁ ସର୍ବାଧିକ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଏହି ଅବସରରେ କନେଷ୍ଟବଳ, ହାବିଲଦାର ସିପାହୀ ସଂଘ ଓ ବରିଷ୍ଠ ପୋଲିସ ସେବା ଅଧିକାରୀ ମୁଖ୍ୟମନ୍ତ୍ରୀ ଭେଟି ଧନ୍ୟବାଦ ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦକ୍ଷତାର ସହ କାର୍ଯ୍ୟ କରିବାକୁ ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ଉନ୍ନତି ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତ୍ୱରିତ ନ୍ୟାୟ, କାର୍ଯ୍ୟାନୁଷ୍ଠାନ, ତୁରନ୍ତ ଏଫ୍ଆଇଆର୍ ଗ୍ରହଣ ଏବଂ ସଠିକ୍ ସମୟରେ ତଦନ୍ତ ପ୍ରତି ଯତ୍ନଵାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ପୋଲିସ ବାହିନୀକୁ ଦକ୍ଷ ଓ ଶୃଙ୍ଖଳିତ କରି ଗଢିତୋଳିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ବର୍ତ୍ତମାନ ରାଜ୍ୟ ପୋଲିସ ବାହିନୀରେ ପ୍ରାୟ ୧୬ ହଜାର ପଦବୀ ଖାଲି ଥିବାବେଳେ, ଆହୁରି ୧୬, ୦୫୯ଟି ନୂଆ ପଦବୀ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।