ଭୁବନେଶ୍ୱର: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । ମୟୁରଭଞ୍ଜସ୍ଥିତ ଶିମିଳିପାଳ ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଛି । ଏ ନେଇ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହା ପରେ ଶିମିଳିପାଳ ରାଜ୍ୟର ଦ୍ୱିତୀୟ ଏବଂ ଭାରତର ୧୦୭ତମ ଜାତୀୟ ଉଦ୍ୟାନରେ ଗଣତି ହୋଇଛି । ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଅଧିନରେ ଶିମିଳିପାଳ ଉତ୍ତର ଓ ଦକ୍ଷିଣ ବନପ୍ରାଣୀ ଡିଭିଜନ ରହିଛି । ଯାହାର କ୍ଷେତ୍ରଫଳ ରହିଛି ୮୪୫.୭୦ ବର୍ଗ କିଲୋମିଟର ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଖୁସିବ୍ୟକ୍ତ କରିଛନ୍ତି ଯେ ବିକଶିତ ଭାରତ, ବିକଶିତ ଓଡ଼ିଶା ଗଢ଼ିବା ଦିଗରେ ଏହା ସଦୃଢ଼ ପଦକ୍ଷେପ । ଶିମିଳିପାଳ ଏବେ ଆନୁଷ୍ଠାନିକ ଭାବରେ ଏକ ଜାତୀୟ ଉଦ୍ୟାନ ଭାବରେ ପରିଚିତ ହୋଇଛି । ଏହି ଦୀର୍ଘ ପ୍ରତୀକ୍ଷିତ ଘୋଷଣା ଆମର ପରିବେଶକୁ ସୁଦୃଢ଼ କରିବା ସହିତ ଆଦିବାସୀଙ୍କ ଆକାଂକ୍ଷାକୁ ଉନ୍ନୀତ ଏବଂ ସ୍ଥାୟୀ ବିକାଶ ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦେଶ କରୁଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ବିଭିନ୍ନ ବନ୍ୟାପ୍ରାଣୀରେ ଭରପୂର ଶିମିଳିପାଳ ଅଭୟାରଣ୍ୟ ବାଘଙ୍କ ପାଇଁ ପ୍ରସିଦ୍ଧ । ଶିମିଳିପାଳରେ ମହାବଳ ବାଘ, ହାତୀ, ହରିଣ, ଗୟଳ, ଚଉଶିଙ୍ଘା ହରିଣ ଦେଖିବାକୁ ମିଳନ୍ତି । ଉଦ୍ୟାନରେ ଥିବା ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିଥାଏ ।