ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାକୁ ନେଇ ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସବୁ ଦଳର ନେତା ଆତଙ୍କୀ ହମଲାର ନିନ୍ଦା କରିଛନ୍ତି। ଆତଙ୍କବାଦୀ ବିରୋଧୀ ଅଭିଯାନରେ ଭାରତ ସରକାର ଯାହା ନିଷ୍ପତ୍ତି ଏବଂ ପଦକ୍ଷେପ ନେବେ ଆମେ ତାର ସମର୍ଥନ କରିବୁ ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି। ବୈଠକ ଶେଷ ହେବା ପରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ସ୍ଵୀକାର କରିଛନ୍ତି ଯେ, ସରକାରଙ୍କ ଦ୍ଵାରା ତ୍ରୁଟି ହୋଇଛି। ଏହି ଘଟଣା କେମିତି ଘଟିଲା ଏବଂ କେଉଁଠି ତ୍ରୁଟି ଥିଲା ଏହି ବିଷୟରେ ବୈଠକରେ ଆଲୋଚନା ହୋଇଛି।
କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ଯେଉଁଠି ଏହି ଘଟଣା ଘଟିଲା ତାହା ମୁଖ୍ୟ ରାସ୍ତା ପାର୍ଶ୍ଵରେ ନ ଥିଲା। ସବୁ ପାର୍ଟିକୁ ଜଣାଇ ଦିଆଯାଇଛି ଯେ, ସବୁ କିଛି ଠିକ୍ ଥାଇ ବି ଗୋଟିଏ ତ୍ରୁଟି ହୋଇଗଲା। ଏଥିରେ ଆମେ ସମସ୍ତେ ଦୁଃଖି। ଆମେ ଏହାର ସନ୍ଧାନ କରିବୁ ଯେ, କେଉଁଠି ତ୍ରୁଟି ହୋଇଛି। ଆଗାମୀ ଦିନରେ ଯେମିତି ଏମିତି ଘଟଣା ନ ଘଟେ ସେଥିପାଇଁ ବ୍ୟବସ୍ଥା କରାଯିବ। ସବୁ ପାର୍ଟିର ନେତାଏକ ସ୍ଵରରେ କହିଛନ୍ତି ଯେ, ସରକାର ଯାହା ବି ପଦକ୍ଷେପ ନେବେ, ଆମେ ଏହାର ସମର୍ଥନରେ ଅଛୁ। କିଛି ପ୍ରସଙ୍ଗରେ ସରକାର ସଫେଇ ଦେଇଛନ୍ତି।
କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ଏହା ବହୁତ ଦୁଃଖଦ ଘଟଣା। ଗତ ଅନେକ ବର୍ଷରୁ କାଶ୍ମୀର ଲୋକ ଶାନ୍ତିରେ ନିଜ କାରବାର କରୁଥିଲେ, ଟୁରିଷ୍ଟ ଆସୁଥିଲେ । ସବୁ କିଛି ଭଲ ଚାଲିଥିଲା । ସବୁ ରାଜନୈତିକ ଦଳ ନିଜ ନିଜର ବିଚାର ରଖିଛନ୍ତି ଓ ଗୋଟିଏ କଥା ସାମ୍ନାକୁ ଆସିଛି ଯେ, ଦେଶକୁ ଏକଜୁଟ ହୋଇ ସ୍ୱର ଉଠାଇବା ଉଚିତ୍ । ସବୁ ପାର୍ଟି ସରକାର ସହ ଥିବା କହିଛନ୍ତି ।
ସର୍ବଦଳୀୟ ବୈଠକ ଆରମ୍ଭ ହେବା ପୂର୍ବରୁ ପହଲଗାମ ଆତଙ୍କବାଦୀ ମୃତକଙ୍କ ସମ୍ମାନରେ କିଛି ସମୟ ନିରବ ପ୍ରାର୍ଥନା କରାଯାଇଥିଲା । ସରକାରଙ୍କ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଉପସ୍ଥିତ ଥିଲେ । ରାଜ୍ୟସଭାରେ ଗୃହ ନେତା ଜେପି ନଡ୍ଡା, ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବିରୋଧୀ ଦଳର ପ୍ରତିିନିଧି ଉପସ୍ଥିତ ଥିଲେ ।