ଆସାମ: ଦେଶଦ୍ରୋହୀ ବିଧାୟକ ଅମିନୁଲ ଇସଲାମ ହେଲେ ଗିରଫ। ଆସାମର ବିରୋଧୀ ଦଳ ଏଆଇୟୁଡିଏଫ ବିଧାୟକ ଅମିନୁଲ ଇସଲାମଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯାଇଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନକୁ ସମର୍ଥନ କରିବା ଏବଂ ଏହାର ସମ୍ପୃକ୍ତି ପାଇଁ ଆସାମ ବିରୋଧୀ ଦଳ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ବିଧାୟକ ଅମିନୁଲ ଇସଲାମଙ୍କୁ ଗୁରୁବାର ଦିନ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯାଇଛି।
ବିଧାୟକ ଏହି ଆକ୍ରମଣ ପଛରେ ପାକିସ୍ତାନକୁ ସମର୍ଥନ କରି ଏଥିରେ କେନ୍ଦ୍ରର ହାତ ରହିଥିବା କହିଛନ୍ତି। ପହଲଗାମ ଆକ୍ରମଣ ଉପରେ ତାଙ୍କର ବିବାଦୀୟ ବୟାନର ଭିଡିଓ ଭାଇରାଲ ହେବା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଧାୟକ ଅମିନୁଲ ଇସଲାମ ଯେଉଁ ଦେଶଦ୍ରୋହୀ ଭାବେ ବିବାଦୀୟ ବୟାନ୍ ଦେଇଛନ୍ତି, ପହଲଗାମ୍ ଆକ୍ରମଣରେ ପାକିସ୍ତାନକୁ ସମର୍ଥନ କରିଛନ୍ତି, ସେଇ ଆଧାରରେ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପୋଲିସ ନାଗାଓଁ ଜିଲ୍ଲାର ତାଙ୍କ ବାସଭବନରୁ ଗିରଫ କରିଥିବା ନେଇ ସୂଚନା ମିଳିଛି। ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ଆତଙ୍କବାଦୀ ଆମ ଦେଶବାସୀଙ୍କ ସହ ଯେଉଁ ବର୍ବରକାଣ୍ଡ ଘଟାଇଛନ୍ତି, ସେଇ ଘଟଣାକୁ ନେଇ ସୋସିଆଲ ମିଡ଼ିଆ ସମେତ ଯେକୌଣସି ମାଧ୍ୟମରେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷରେ ପାକିସ୍ତାନକୁ ସମର୍ଥନ କରିବା ପ୍ରୟାସକୁ ଆଦୌ ବରଦାସ୍ତ କରାଯିବ ନାହିଁ’।