ମୟୁରଭଞ୍ଜ : ଶିମିଳିପାଳ ଜାତୀୟ ଉଦ୍ୟାନରେ ବର୍ତ୍ତମାନ ୪୦ ମହାବଳ ବାଘ ଅଛନ୍ତି । ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ୍ କୁମାର ଝା ସୂଚନା ଦେଇଛନ୍ତି । ଜିନ୍ନତ ଓ ଯମୁନାକୁ ମିଶାଇ ସମୁଦାୟ ୪୦ ମହାବଳ ଅଛନ୍ତି । ସମୁଦାୟ ୪୦ ମହାବଳ ମଧ୍ୟରରେ ରହିଛନ୍ତି ୬ଟି ଶାବକ, ୧୭ଟି ବାଘୁଣୀ ୧୮ଟି କଳା ମହାବଳ ଥିବା ଜଣାପଡିଛି । ଆଗାମୀ ୧୦ ବର୍ଷରେ ମହାବଳ ସଂଖ୍ୟା ଶହେକୁ ପହଞ୍ଚାଇବାକୁ ଲକ୍ଷ୍ୟ ଥିବା ପ୍ରେମ୍ ଝା ସୂଚନା ଦେଇଛନ୍ତି । ଗତବର୍ଷ ଶିମିଳିପାଳରେ ୨୭ ମହାବଳ ସହ ୮ ଶାବକ ଥିଲେ ।
ସୂଚନାଯୋଗ୍ୟ ଗତକାଲି ଶିମିଳିପାଳ କୁ ସରକାର ଜାତୀୟ ଉଦ୍ୟାନର ମାନ୍ୟତା ଦେଇଛନ୍ତି । ଯାହା ପୁରା ରାଜ୍ୟ ପାଇଁ ଖୁସି ଖବର ଅଟେ । ଏହି ଜାତୀୟ ଉଦ୍ୟାନର ପରିସୀମା ଭିତରେ ସଂଜନାଳ, ଦଲକି ନଦୀ, ଦେବକୁଣ୍ଡ, ବୁଢ଼ାବୁଢ଼ୀ ପାହାଡ଼,ର ଅଞ୍ଚଳ ଦେଇ ଦକ୍ଷିଣପୂର୍ବ ସୀମା ରହିଛି। ଦକ୍ଷିଣକୁ ଟାଙ୍ଗି ପାହାଡ଼, ବନିଆପଡ଼ା ନଦୀ ଦେଇ ପଶ୍ଚିମକୁ ମଙ୍କଡିଆ ପାହାଡ଼ ଦେଇ ନଛିପୁର ଓ ଭଞ୍ଜବସା ସହିତ ସଂଯୋଗ ହୋଇଛି। ଦେଶର ସର୍ବବୃହତ୍ ସଂରକ୍ଷିତ ଜଙ୍ଗଲ ଭାବେ ଶିମିଳିପାଳ ଦଣ୍ଡାୟମାନ । ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ବିଭିନ୍ନ ବନ୍ୟାପ୍ରାଣୀରେ ଭରପୂର ଶିମିଳିପାଳ ଅଭୟାରଣ୍ୟ ବାଘଙ୍କ ପାଇଁ ପ୍ରସିଦ୍ଧ । ଉଦ୍ୟାନରେ ଥିବା ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିଥାଏ । ସରକାର ଏବେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ପାଇଁ ଘୋଷଣା କରିଛନ୍ତି । ଏହି ଖବର ଆସିବା ପରେ ମୟୂରଭଞ୍ଜବାସୀଙ୍କ ମହଲରେ ଆନନ୍ଦ ଖେଳିଯାଇଛି ।