ବାଲେଶ୍ୱର: ଦିନକୁ ଦିନ ରାଜ୍ୟରେ ବାଲି ମାଫିଆ ଗୁଣ୍ଡାରାଜ୍ ବଢ଼ିବାରେ ଲାଗିଛି । ବାଲେଶ୍ୱର ଜିଲ୍ଲା ରାଇବଣିଆ ଅଞ୍ଚଳରେ ଖଣି ବିଭାଗ ଚଢ଼ାଉବେଳେ ଆକ୍ରମଣ ହୋଇଛି । ଏ ନେଇ ଖଣି ବିଭାଗ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି ।
ବାଲେଶ୍ୱର ଜିଲ୍ଲା ମାକିଡ଼ିଆ ,କୁଆଁରପୂର୍, ବେହେରା ସାହି, ତୋଟାପଡ଼ା, ପ୍ରହରାଜପୁର, ଗୋଆଗଡିଆ,ଦକ୍ଷିଣ ପ୍ରହରାଜପୁରରେ ବେଆଇନ ବାଲି ଉତ୍ତୋଳନ ନେଇ ଖବର ପ୍ରସାରଣ ହେଉଛି । ଏହା ପରେ ଜଳେଶ୍ଵରର ଖଣି ବିଭାଗର ଅଧିକାରୀମାନେ ଚୋରା ବାଲି ଖାଦାନ ଚଢାଉ କରିବା ସମୟରେ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।
ବିଶେଷ ସୂତ୍ରରୁ ଖବର ପାଇ ଖଣି ବିଭାଗର ଜଳେଶ୍ଵରର ଜୁନିଅର ଅଧିକାରୀ ଜୀତେନ୍ଦ୍ର ଦାସ, ଚିନ୍ମୟ ଜେନା ଏବଂ ଜଳେଶ୍ଵର ଥାନାର ଦୁଇ ପୋଲିସ ଅଧିକାରୀମାନେ ଚୋରା ବାଲି ଖାଦାନ ଚଢାଉ କରିଥିଲେ । ଦକ୍ଷିଣ ପ୍ରହରାଜପୁର ବାଲି ଖାଦାନରୁ ବାଲି ବୋଝାଇ ଛଅଟି ନମ୍ବର ବିହୀନ ଟ୍ରାକ୍ଟର ଆସୁଥିବା ସମୟରେ ବରଡିହା ପଂଚାୟତର ପଥରପଦାଠାରେ ଖଣି ବିଭାଗ ଓ ପୋଲିସ ଅଧିକାରୀମାନେ ଅଟକାଇଥିଲେ । ଘଟଣାସ୍ଥଳରେ ଟ୍ରାକ୍ଟର ମାଲିକ ସୁମନ୍ତ ମହାନ୍ତି ଓ ୨୦ରୁ ଅଧିକ ଲୋକଙ୍କ ସହାୟତାରେ ପୋଲିସ ଏବଂ ଖଣି ଅଧିକାରୀଙ୍କୁ ମାଡ ମାରି ବଳ ପୂର୍ବକ ଟ୍ରାକ୍ଟର ତିନୋଟି ଛଢ଼େଇ ନେଇ ପଳାଇ ଯାଇଥିଲେ । ଖଣି ଅଧିକାରୀ ଆଉ ତିନୋଟି ଟ୍ରାକ୍ଟରକୁ ଥାନାକୁ ଆଣିଥିଲେ । ଏ ନେଇ ଖଣି ଅଧିକାରୀ ଥାନାରେ ଟ୍ରାକ୍ଟର ମାଲିକ ସୁମନ୍ତ ମହାନ୍ତିଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି । ରାଇବଣିଆ ଥାନାର ପୋଲିସ ବିଭାଗର ଜଣେ କର୍ମଚାରୀ ଏବଂ ଅଞ୍ଚଳ କିଛି ଦଲାଲ୍ ବାଲି ମାଫିଆଙ୍କୁ ସହଯୋଗ କରୁଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି । ପୂର୍ବରୁ ମଧ୍ୟ ଖୁଆଡ ଅଞ୍ଚଳରେ ବେଆଇନ ମାଟି, ମୋରମ ଚୋରା ଚାଲାଣ କରିଥିବା ମାଫିଆମାନେ ଖଣି ବିଭାଗର କର୍ମଚାରୀ ମାନଙ୍କୁ ଆକ୍ରମଣ କରିଥିଲେ । ଦୋଷୀଙ୍କ ବିରୁଦ୍ଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।