ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲକୁ ମିଳିଛି ବଡ଼ ସଫଳତା । ଏକ ବିରଳ ଅସ୍ତ୍ରୋପଚାର ଦ୍ୱାରା ଦୀର୍ଘ ୩ ବର୍ଷ ହେବ ଛାତିରେ ପଶି ରହିଥିବା ଛୁରୀକୁ ବାହାର କରାଯାଇଛି । ଏବେ ସମ୍ପୃକ୍ତ ଯୁବକ ଜଣକ ସମ୍ପୂର୍ଣ୍ଣ ବିପଦ ମୁକ୍ତ ଥିବା ଜଣାପଡ଼ିଛି । ଏଭଳି ବିରଳ ଅସ୍ତ୍ରୋପଚାରର ସମସ୍ତ ଶ୍ରେୟ ଏମକେିସିଜି ଡାକ୍ତରୀ ଟିମକୁ ଦେଇଛନ୍ତି ପରିବାର ଲୋକେ ।
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ସନ୍ତୋଷ ଦାସ (୨୨)ଙ୍କର ଗତ ୯ ମାସ ତଳେ ବାନ୍ତିରେ ରକ୍ତ ପଡ଼ିବାରୁ ଟିବି ସନ୍ଦେହ କରି ଔଷଧ ମଧ୍ୟ ଖାଇଥିଲେ । କିନ୍ତୁ ଗତ ୧୯ ତାରିଖରେ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ । ସେ ବିଭିନ୍ନ ମେଡ଼ିକାଲରେ ଚିକିତ୍ସା କରାଇବା ପରେ ତାଙ୍କୁ ଯନ୍ତ୍ରଣାରୁ ମୁକ୍ତି ମିଳି ନ ଥିଲା । ଏହା ପରେ ସେ ବ୍ରହ୍ମପୁର ଏମକେସିଜି ମେଡିକାଲ ଯାଇଥିଲେ । ଡାକ୍ତର ସମସ୍ତ ଲକ୍ଷଣକୁ ଅନୁଧ୍ୟାନ କଲା ପରେ ଏକ୍ସରେ, ସିଟିସ୍କାନ ଓ ବ୍ରଙ୍କୋସ୍କୋପି ଇତ୍ୟାଦି ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ରିପୋର୍ଟରୁ ସନ୍ତୋଷଙ୍କ ଛାତିର ଡାହାଣ ପାର୍ଶ୍ଵରେ ଏକ ଛୁରୀର ଭଗ୍ନ ଅଂଶ ରହିଥିବା ଜଣା ପଡ଼ିଥିଲା। ଗତ ୨୨ ତାରିଖରେ ଡ଼ାକ୍ତରଙ୍କ ଏକ ଟିମ୍ ଅସ୍ତ୍ରୋପଚାର କରିଥିଲେ। ସିଟିଭିଏସ ବିଭାଗର ବିଭାଗୀୟ ମୁଖ୍ୟ ଆସୋସିଏଟ ପ୍ରଫେସର ଡ଼ା ସାରଦା ପ୍ରସନ୍ନ ସାହୁ, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବେରୀୟlନ ସ୍ୱାଇଁ, ଏସ ଆର ଡାକ୍ତର ପ୍ରଦୀପ୍ତ କୁମାର ସାହୁ, ନିଶ୍ଚେତକ ବିଭାଗର ଆସୋସିଅଟ ପ୍ରଫେସର ଡାକ୍ତର ସଞ୍ଜିତ କୁମାର ପାତ୍ର ଏବଂ ନର୍ସିଂ ଅଫିସର ମାନେ ଏହି ଟିମରେ ସାମିଲ ହୋଇଥିଲେ । ଦୀର୍ଘ ତିନି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଡାକ୍ତରମାନେ ସନ୍ତୋଷଙ୍କ ଡାହାଣ ପାଖ ଛାତିରୁ ଭଙ୍ଗା ଛୁରୀକୁ ସଫଳତାର ସହିତ ବାହାର କରିଥିଲେ । ଯାହାର ଲମ୍ବା ୮ ସେଣ୍ଟିମିଟର ବୋଲି ଜଣାପଡ଼ିଛି ।
ତେବେ ଘଟଣା ଥିଲା ଏପରି ଯେ ସନ୍ତୋଷ ୩ ବର୍ଷ ତଳେ ବାଙ୍ଗାଲୋରରେ କାମ କରୁଥିବା ବେଳେ ସେଠାରେ ଜଣେ ଓଡ଼ିଆ ଯୁବକଙ୍କ ସହ ତାଙ୍କର କୌଣସି କlରଣକୁ ନେଇ ଝଗଡ଼ା ହୋଇଥିଲା। ପରେ ଉକ୍ତ ଯୁବକ ଜଣକ ସନ୍ତୋଷଙ୍କ ବାମପଟ କାନ୍ଧରେ ଛୁରା ମାଡ଼ କରିଥିଲେ । ଏହାପରେ ସନ୍ତୋଷ ସେଠାରେ ଚିକିତ୍ସା ହୋଇଭଲ ହୋଇଥିଲେ କିନ୍ତୁ ସେହି ଛୁରିର କିଛି ଅଂଶ ଛାତିରେ ରହି ଯାଇଥିଲା । ଯାହାକୁ ସେଠାକାର ଡାକ୍ତର ମାନେ ଜାଣି ପାରି ନ ଥିଲେ । ପରେ ସେହି ଛୁରୀ ଡାହାଣ ଆଡ଼କୁ ଆସି ଯାଇଥିଲା ଏବଂ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ଏମକେସିଜିରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ କରାଯାଇଥିବା ବିଭିନ୍ନ ପରୀକ୍ଷଣରୁ ଡାହାଣ ପାର୍ଶ୍ଵ ଛାତିରେ ଛୁରୀର ଖଣ୍ଡ ରହିବା ସମ୍ବନ୍ଧରେ ଡାକ୍ତରମାନେ ଅବଗତ ହେବା ପରେ ଅସ୍ତ୍ରୋପଚାର କରାଯାଇଛି ।
ଏଭଳି ଏକ ଧାରୁଆ ଅସ୍ତ୍ର ଦୀର୍ଘ ତିନିବର୍ଷ ଧରି ଫୁସ୍ ଫୁସ୍ ରେ ରହିବା ବିରଳ ବୋଲି କହିଛନ୍ତି ଟିମର ନେତୃତ୍ୱ ନେଇଥିବା ବିଭାଗୀୟ ମୁଖ୍ୟ ଡ଼ାକ୍ତର ସାରଦା ପ୍ରସନ୍ନ ସାହୁ । ସନ୍ତୋଷ ବର୍ତ୍ତମାନ ଆଇସିୟୁରେ ଅଛନ୍ତି । ସେ ସମ୍ପୂର୍ଣ୍ଣ ବିପଦ ମୁକ୍ତ ଅଛନ୍ତି । ସଂପୂର୍ଣ୍ଣ ସୁସ୍ଥ ହେବା ଲାଗି ଆଉ ତିନି ଚାରିଦିନ ସମୟ ଲାଗିବ। ଏହା ପରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଡାକ୍ତର କହିଛନ୍ତି ।