ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାକୁ ନେଇ ପାକିସ୍ତାନୀ ମୂଳ ନିବାସୀ ପ୍ରଫେସର ଇସ୍ତିୟାକ ଅହମ୍ମଦ ନିଜ ସେନା ପ୍ରମୁଖ ଆସିମ ମୁନୀରଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି, ଯେଉଁଭଳି ଭାବେ ଜେନେରାଲ ଆସିମ ମୁନୀର ହିନ୍ଦୁ ଓ ମୁସଲିମଙ୍କୁ ଅଲଗା ଅଲଗା କହିଲେ, ଏହାର ଠିକ୍ ଗୋଟିଏ ସପ୍ତାହ ଭିତରେ ଆତଙ୍କବାଦୀ ପହଲଗାମରେ ହମଲା କରିଛନ୍ତି । ଆତଙ୍କବାଦୀମାନେ ମାରିବା ପୂର୍ବରୁ କିଏ ହିନ୍ଦୁ ଏବଂ କିଏ ମୁସଲିମ ଯାଞ୍ଚ କରିଥିଲେ । ତେଣୁ ପ୍ରଶ୍ନ ଉଠୁଛି ଯେ, କାହିଁକି ଆସିମ ମୁନୀରଙ୍କ ବୟାନ ପରେ ଏହି ଘଟଣା ଘଟିଲା । ଆସିମଙ୍କୁ ଏହିପରି ବୟାନ ଦେବା ଉଚିତ୍ ନୁହେଁ ।
ଏହା ସହିତ ସେ ଭାରତ ପକ୍ଷରୁ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ବାତିଲ ହେବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଇସ୍ତିୟାକ ଅହମ୍ମଦ କହିଛନ୍ତି, ମୋର ଜଣେ ବନ୍ଧୁ ଲିୟାକତ ଅଲ୍ଲୀ ସିନ୍ଧୁ ନଦୀ ଝଲ ରାଜିନାମାକୁ ନେଇ ଏକ ଆର୍ଟିକିଲ ଲେଖିଥିଲେ । ସେ ଏଥିରେ ଦର୍ଶାଇଥିଲେ ଯେ, ୧୯୬୦ ପୂର୍ବରୁ ନଦୀଗୁଡିକରୁ ପାଣିକୁ ନେଇ ଖୁବ ବିବାଦ ହୋଇଥିଲା । ଯେବେ ଦେଶ ବିଭାଜନ ହେଲା ସେହି ସମୟରେ ବ୍ୟାପକ ମାତ୍ରାରେ ପ୍ରସ୍ତୁତ ନଦୀ ଓ ନାଳ ଭାରତ ଭାଗକୁ ଚାଲିଗଲା । ଏଥିରେ ପାକିସ୍ତାନର ସ୍ଥିତି ଖରାପ ଥିଲା ।
ପ୍ରଫେସର କହିଛନ୍ତି, ଭାରତ ପକ୍ଷରେ ଅନେକ ବିଶ୍ୱ ଶକ୍ତି ଥିଲେ ଏବଂ ତାର ଯୁକ୍ତିକୁ ସଭିଏ ଠିକ୍ ବୋଲି କହିଲେ । ପୁଣି ଭାରତ ସିନ୍ଧୁ ନଦୀ ଜଳ ରାଜିନାମାକୁ ମଞ୍ଜୁରୀ ଦେଇଥିଲା । ଏଥିରେ ଭାରତ ବଡ ପଣିଆ ଦେଖାଇ ପାଣି ପାକିସ୍ତାନକୁ ଛାଡି ଥିଲା । ପ୍ରଫେସର ଅହମ୍ମଦ କହିଛନ୍ତି, ତିନିରୁ ଚାରି ଯୁଦ୍ଧ ପରେ ବି ଏହି ଚୁକ୍ତିନାମାକୁ କେହି ବାତିଲ କରି ନ ଥିଲେ । ନରେନ୍ଦ୍ର ମୋଦୀ ନିର୍ବାଚନ ଜିତିବା ପରେ ପାକିସ୍ତାନ ଗସ୍ତ କରିଥିଲେ । ମାତ୍ର ପୁଣି ପଠାନକୋଟ ହମଲା ହେଲା । କିନ୍ତୁ ଏଥର ଭାରତ ସରକାର ସ୍ଥିର କରିଛନ୍ତି ଯେ, ପାକିସ୍ତାନକୁ ଆଉ କଦାପି ଛାଡିବେ ନାହିଁ ।
ସେ କହିଛନ୍ତି, ଚୁକ୍ତିନାମା ଅନୁସାରେ ୫ ପଞ୍ଜାବର ନଦୀ ଓ ଏକ ମୁଖ୍ୟ ନଦୀ ସିନ୍ଧୁ । ଚେନାବ, ରବି ଓ ଝେଲମ ନଦୀ କାଶ୍ମୀର ଦେଇ ପ୍ରବାହିତ ହେଉଛି । ତଥାପି ଭାରତ କୌଣସି ପ୍ରକାରରେ ଏହି ନଦୀର ପ୍ରବାହକୁ ଅଟକାଇ ନାହିଁ । ଏହି ଚୁକ୍ତିନାମା ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାରେ ହୋଇଥିଲା । ଆମେରିକା, ଜାପାନ, ବ୍ରିଟେନ, ଅଷ୍ଟ୍ରେଲିଆ ପରି ଦେଶ ଏଥିରେ ସାମିଲ ଥିଲେ । ହେଲେ ଆମ ପାକିସ୍ତାନ ସେନା ମୁଖ୍ୟଙ୍କ ବୟାନ ଯୋଗୁଁ ଆଜି ଦୁଇ ଦେଶ ମଧ୍ୟରେ ସ୍ଥିତି ଏମିତି ଉପୁଜିଛି । ଆଉ ଭାରତ ଚୁକ୍ତିନାମା ବାତିଲ କରିଛି । ଯଦି ଭାରତ ଜଳ ପ୍ରବାହ ରୋକେ ତେବେ ଆମର ହିଁ କ୍ଷତି ଘଟିବ ବୋଲି ପ୍ରଫେସର କହିଛନ୍ତି ।