ନୂଆଦିଲ୍ଲୀ: ବିହାର ନିର୍ବାଚନରେ ଇଣ୍ଡି ମେଣ୍ଟର ଗଣିତ ବିଗାଡ଼ିବାକୁ ଯାଉଛି ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (AIMIM) । ଏଆଇଏମ୍ଆଇଏମ୍ ଦଳ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀ ବିହାରେ ପ୍ରାୟ ୧୦୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା କରୁଛନ୍ତି, ଯାହାକି ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଆସନ ସଂଖ୍ୟାର ପାଞ୍ଚ ଗୁଣ ।
ହାଇଦ୍ରାବାଦ ସାଂସଦ ଓୱେସୀ ପାରମ୍ପରିକ ଗଡ଼ ଭାବରେ ପରିଚିତ ବିହାର ସୀମାଞ୍ଚଳରେ ଘନ ଘନ ଗସ୍ତ କରିଛନ୍ତି । ସେଠାରେ ଅନେକ ସାଧାରଣ ସଭା କରିଛନ୍ତି । କିଶନଗଞ୍ଜରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଓୱେସି କହିଛନ୍ତି, "ମୁଁ ବିହାରରେ ଅନେକ ସହକର୍ମୀଙ୍କୁ ଭେଟି ନୂତନ ସମ୍ପର୍କ ଗଢ଼ିବାକୁ ଅପେକ୍ଷା କରିଛି। ରାଜ୍ୟବାସୀଙ୍କୁ ଏକ ନୂତନ ବିକଳ୍ପ ଆବଶ୍ୟକ ଏବଂ ଆମେ ତାହା ହେବାକୁ ଚେଷ୍ଟା କରୁଛୁ।"
ବିହାରର ଉତ୍ତର-ପୂର୍ବ ଅଞ୍ଚଳ ସୀମାଞ୍ଚଳ କଟିହାର, କିଶନଗଞ୍ଜ, ଆରାରିଆ ଏବଂ ପୂର୍ଣ୍ଣିଆ ଚାରୋଟି ଜିଲ୍ଲାକୁ ନେଇ ଗଠିତ। ମୁସଲିମ ବହୁଳ ଜନସଂଖ୍ୟା, ଦାରିଦ୍ର୍ୟ ଏବଂ ବିକାଶର ଅଭାବ ଭଳି ସମସ୍ୟା ଯୋଗୁଁ ଏହି ଅଞ୍ଚଳ ଦୀର୍ଘ ଦିନ ଧରି ରାଜନୈତିକ ଦଳଗୁଡ଼ିକ ପାଇଁ ଏକ ଆକର୍ଷଣୀୟ ସ୍ଥାନ ହୋଇ ରହିଛି।
୨୦୧୫ରେ ପ୍ରଥମ ଥର ପାଇଁ ଏଆଇଏମ୍ଆଇଏମ୍ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଦଳ ସୀମାଞ୍ଚଳର ଛଅଟି ଆସନରେ ପ୍ରାର୍ଥୀ ଦେଇଥିଲା ବିଫଳ ହୋଇଥିଲା । ୨୦୨୦ ବିଧାନସଭା ନିର୍ବାଚନରେ, ଦଳ ୨୦ଟି ଆସନରେ ପ୍ରାର୍ଥୀ ଦେଇ ନିଜର ରାଜନୈତିକ ଶକ୍ତି ପ୍ରଦର୍ଶନ କରିଥିଲା। ଏହି ନିର୍ବାଚନରେ ଦଳ ସୀମାଞ୍ଚଳରେ ପାଞ୍ଚଟି ଆସନ ଅମୋର, ବାହାଦୁରଗଞ୍ଜ, ବୈସି, କୋଚାଧାମନ ଏବଂ ଜୋକିହାଟ ରେ ବିଜୟୀ ଲାଭ କରିଥିଲା । ୨୦୨୨ରେ ଚାରି ଜଣ ବିଧାୟକ ରାଷ୍ଟ୍ରୀୟ ଜନତା ଦଳରେ ଯୋଗଦେଲେ । ଫଳରେ ୨୦ଟି ଆସନରୁ ମାତ୍ର ପାଞ୍ଚ ଜଣ ପ୍ରାର୍ଥୀ ଜିତିଥିଲେ ।