ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇ ନୋବେଲ ଶାନ୍ତି ପୁରସ୍କାର ବିଜେତା ହୋଇଥିବା ଭେନେଜୁଏଲାର ମାରିଆ କୋରୀନା ମଚାଡୋଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସମସ୍ତେ ତାଙ୍କ ବିଷୟରେ ଜାଣିବାକୁ ବେଶ ଉତ୍ସାହିତ । ମାରିଆ ଦୀର୍ଘ ୨୦ ବର୍ଷ ହେବ ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଗଣତାନ୍ତ୍ରିକ ଅଧିକାର ପାଇଁ ଲଢ଼େଇ ଜାରି ରଖିଛନ୍ତି । ଯେଉଁଥିପାଇଁ ତାଙ୍କୁ ବିଶ୍ୱର ସର୍ବୋଚ୍ଚ ସମ୍ମାନ ମିଳିବାକୁ ଯାଉଛି । ମାତ୍ର ମାରିଆଙ୍କ ଏହି ଶାନ୍ତି ଅଭିଯାନ କୌଣସି ତପସ୍ୟାଠାରୁ କମ୍ ନୁହେଁ । ନିଜ ଜୀବନକୁ ଜଳାଞ୍ଜଳି ଦେଇ ଲୋକଙ୍କ ଅଧିକାର ପାଇଁ ସଂଘର୍ଷ କରିଛନ୍ତି ।
୨୦୨୪ରେ ମାରିଆ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ିବାକୁ ପ୍ରଚାର କରିଥିଲେ । କିନ୍ତୁ ସରକାରଙ୍କ ଚାପ ଏବଂ ନ୍ୟାୟିକ ଲଢ଼େଇ ପାଇଁ ସେ ପଛରେ ରହିଯାଇଥିଲେ । ସେହିପରି ୨୦୨୩ରେ ମଧ୍ୟ ବିରୋଧୀ ଦଳରେ ରହି ପ୍ରାଥମିକ ବିଜୟ ହାସଲ କରି ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ହୋଇଥିଲେ, କିନ୍ତୁ ସରକାର ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଚଳିତ ବର୍ଷ ଜାନୁୟାରୀରେ ଏକ କାର୍ଯ୍ୟକ୍ରମରେ ଶେଷଥର ଦେଖିବାକୁ ମିଳିଥିଲା । କିନ୍ତୁ ଭେନେଜୁଏଲାର ମାଦୁରୋ ସରକାରଙ୍କ ଦ୍ୱାରା ତାଙ୍କୁ ଗିରଫ କରାଯାଇଥିଲା । ଅନ୍ତର୍ଜାତୀୟ ଚାପ ପଡ଼ିବାରୁ ତାଙ୍କୁ ମୁକ୍ତ କରାଯାଇଥିଲା ।
ମାଦୁରୋ ସରକାର ବାରମ୍ବାର ମାରିଆଙ୍କ ଉପରେ ଦେଶ ଛାଡ଼ି ପଳାୟନ କରିଥିବାର ଅଭିଯୋଗ ଆଣିଥିଲେ । କିନ୍ତୁ ମାରିଆ ଏହାକୁ ଖଣ୍ଡନ କରିଛନ୍ତି । ସରକାରୀ ଗିରଫଦାରୀରୁ ବର୍ତ୍ତିବାକୁ ମାରିଆ ନିଜ ଦେଶରେ ହିଁ ଏକ ଅଜ୍ଞାତ ସ୍ଥାନରେ ଆତ୍ମ ଗୋପନ କରିଥିଲେ । ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଲୁଚି ରହିଥିଲେ । ମାରିଆ କୁହନ୍ତି, ସେ ନିଜ ଦେଶରେ ୧୪ ମାସ ଯାଏଁ ସୂର୍ଯ୍ୟକିରଣ ଦେଖିନାହାଁନ୍ତି ।
ମାରିଆ କୋରୀନା ମଚାଡୋ ପେଷାରେ ଜଣେ ଇ଼ଞ୍ଜିନିୟର ଏବଂ ଭେନେଜୁଏଲାର ବିରୋଧୀ ନେତ୍ରୀ । ୧୯୬୭ ଅକ୍ଟୋବର ୭ ତାରିଖରେ ତାଙ୍କର ଜନ୍ମ ହୋଇଥିଲା । ସେ ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରରୁ ଆସନ୍ତି । ତାଙ୍କ ପୂର୍ବ ପୀଢ଼ି ଭେନେଜୁଏଲାର ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିଥିଲେ । ଚାରି ଭଉଣୀଙ୍କ ମଧ୍ୟରୁ ମାରିଆ ବଡ଼ ଅଟନ୍ତି । ବାପା ହେନରିକ ମଚାଡୋ ଜୁଲୋଗା ଜଣେ ବ୍ୟବସାୟୀ ଏବଂ ମାତା କୋରୀନା ଏକ ମନୋବୈଜ୍ଞାନିକ । ଉଚ୍ଚ ଶିକ୍ଷା ଶେଷ କରିବା ପରେ ୧୯୯୦ରେ ସେ ପୋଲାର ଫାଉଣ୍ଡେସନରେ ଦାରିଦ୍ର୍ୟ ମୂଳୋତ୍ପାଟନ ଉପରେ କାମ ଆରମ୍ଭ କରିଥିଲେ ।
ଭେନେଜୁଏଲାରେ ଗଣତନ୍ତ୍ର ଏବଂ ମାନବାଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ଏକଛତ୍ରବାଦୀ ଶାସନର ଅନ୍ତ ଘଟାଇବା ପାଇଁ ଏକ ଶାନ୍ତିପୂର୍ଣ୍ଣ ସଂଘର୍ଷ ଜାରିରଖିଛନ୍ତି । ଯେଉଁଥିପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । ମାରିଆଙ୍କୁ ଭେନେଜୁଏଲାର 'ଆଇରନ୍ ଲେଡି' ବୋଲି କୁହାଯାଏ।