ନୂଆଦିଲ୍ଲୀ: ୨୦୨୫ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି । ଭେନଜୁଏଲାର ମାରିଆ କୋରୀନା ମଚାଡୋ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ନରୱେ ନୋବେଲ ଶାନ୍ତି କମିଟି ଶୁକ୍ରବାର ଓସ୍ଲୋରେ ଏହି ପୁରସ୍କାର ଘୋଷଣା କରିଛି । ମାରିଆ ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଏବଂ ଦେଶରେ ଏକଛତ୍ରବାଦ ଗଣତନ୍ତ୍ରରେ ନ୍ୟାୟପୂର୍ଣ୍ଣ ତଥା ଶାନ୍ତିପୂର୍ଣ୍ଣ ଅଧିକାର ହାସଲ କରିବା ପାଇଁ କରିଥିବା ସଂଘର୍ଷ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।
ନୋବେଲ କମିଟି ମାରିଆ କୋରୀନା ମଚାଡୋଙ୍କୁ ଭୂରି ଭୂରି ପ୍ରଶଂସା କରିଛି । ମାରିଆ ଦୀର୍ଘ ଏକ ବର୍ଷ ହେବ ଆତ୍ମଗୋପନ ଜୀବନ ବିତାଉଛନ୍ତି । ତଥାପି ସେ ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ପାଇଁ ଲଢ଼େଇ ଜାରି ରଖିଛନ୍ତି । ନୋବେଲ କମିଟି ମାରିଆଙ୍କ ସାହସିକତାକୁ ପ୍ରଶଂସା କହିଛି ଯେ “ତାଙ୍କ ଜୀବନରେ ବିପଦ ଥିବା ସତ୍ୱେ ସେ ଦେଶର ରହିଛନ୍ତି ଏବଂ ସେ ନୋବେଲ ପାଇଁ ବିବେଚିତ ହେବା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେବ ।” ସେହିପରି ଯେତେବେଳେ ଶାସକ ନିଜ ଶକ୍ତି ଦ୍ୱାରା ଶାସନକୁ କବଜା କରିନେଇଥାଏ, ସେତେବେଳେ ସ୍ୱାଧୀନତାର ସାହସୀ ରକ୍ଷକଙ୍କୁ ଚିହ୍ନଟ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ, ଯିଏ ଉଠନ୍ତି, ଛିଡ଼ା ହୁଅନ୍ତି ଏବଂ ବିରୋଧ କରନ୍ତି । ଗଣତନ୍ତ୍ର ସେହିମାନଙ୍କ ଉପରେ ନିର୍ଭର କରେ ଯେଉଁମାନେ ଚୁପ ରହିବାକୁ ମନା କରନ୍ତି, ଯିଏ ଅନେକ ଯନ୍ତ୍ରଣା ପାଇବା ପରେ ମଧ୍ୟ ଆଗକୁ ବଢ଼ିବାକୁ ସାହସ କରନ୍ତି ଏବଂ ଯିଏ ଆମକୁ ସ୍ମରଣ କରାନ୍ତି ସ୍ୱାଧୀନତାକୁ କେବେବି ହାଲୁକାଭାବେ ନେବା ଉଚିତ ନୁହେଁ । ବରଂ ତାକୁ ଶବ୍ଦ, ସାହସ ଏବଂ ଦୃଢ଼ ସଂକଳ୍ପ ସହିତ ସର୍ବଦା ସୁରକ୍ଷିତ ରଖିବା ଉଚିତ ।
ତେବେ ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୋବେଲ ଶାନ୍ତି ପାଇବା ସ୍ୱପ୍ନ ଧୂଳିସାତ ହୋଇଯାଇଛି । ସେ ଗତ କିଛି ଦିନ ହେବ ନୋବେଲ ପୁରସ୍କାର ପାଇଁ ଦାବି କରିଆସୁଥିଲେ । ଗୁରୁବାର ହ୍ୱାଇଟ୍ ହାଉସରେ ଏକ କ୍ୟାବିନେଟ୍ ବୈଠକ ସମୟରେ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ସାତଟି ‘ଅଶେଷ’ ଯୁଦ୍ଧ ସମାପ୍ତ କରିଛନ୍ତି। ଗାଜା-ଇସ୍ରାଏଲ ବିବାଦ ବିଷୟରେ ସେ ଏହାକୁ ଅଷ୍ଟମ ଯୁଦ୍ଧବିରତି ଚୁକ୍ତିନାମା ଘୋଷଣା କରିଛନ୍ତି ।