ନୂଆଦିଲ୍ଲୀ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଶତ୍ରୁତା ବଢିବାରେ ଲାଗିଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଶୁକ୍ରବାର ପଡୋଶୀ ଆଫଗାନିସ୍ତାନକୁ ପାକିସ୍ତାନର ଏକ ନମ୍ବର ଶତ୍ରୁ ଦେଶ ଏବଂ ଦେଶଦ୍ରୋହୀ ବୋଲି କହିଛନ୍ତି । ଖ୍ୱାଜା ଆଫଗାନ ନାଗରିକଙ୍କ ଚାଲିଥିବା ବ୍ୟାପକ ନିର୍ବାସନକୁ ଉଚିତ୍ ବୋଲି ଦର୍ଶାଇଛନ୍ତି । ଖ୍ୱାଜା ଏସବୁ ଟିପ୍ପଣୀ ପାକିସ୍ତାନର ନ୍ୟାସନାଲ ଆସେମ୍ବଲିରେ କହିଛନ୍ତିି ।
ଏହା ପୂର୍ବରୁ ସେ ଚେତାବନୀ ଦେଇ କହିଛନ୍ତି ଯେ, ବହୁତ ହୋଇଗଲା ସେନାର ଧୈର୍ଯ୍ୟ ଜବାବ ଦେଉଛି । ସେ ଅଭିଯୋଗ କରିଛନ୍ତି ଯେ, ଗୋଟିଏ ପଟେ ଆଫଗାନିସ୍ତାନର ଲୋକ ପାକିସ୍ତାନରେ କାରବାର କରୁଥିବା ବେଳେ ଅନ୍ୟପଟେ ତେହରିକ ଏ ତାଲିବାନ ପାକିସ୍ତାନ(ଟିଟିପି) ପରି ଆତଙ୍କୀ ସଂଗଠନକୁ ଶରଣ ଦେଇ ଆଫଗାନିସ୍ତାନ ପାକିସ୍ତାନ ସହ ବିଶ୍ୱାସଘାତ କରୁଛି ।
ଆସିଫ ସଂସଦରେ କହିଛନ୍ତି ଯେ, ଆଫଗାନ ତାଲିବାନକୁ ଟିଟିପିର ସମର୍ଥନ ବନ୍ଦ କରିବା ପାଇଁ ମନାଇବାର ଅନେକ ପ୍ରୟାସ ବିଫଳ ହୋଇଛି । ଏବେ ଆମେ ଆଉ ଏହାକୁ ବରଦାସ୍ତ କରିବୁ ନାହିଁ । ଏକଜୁଟ ହୋଇ ଆମକୁ ଆଫଗାନ ଲୋକଙ୍କୁ ଜବାବ ଦେବାର ଅଛି । ଏହି ଆତଙ୍କୀ ସଂଗଠନକୁ ଯିଏ ବି ଆଶ୍ରୟ ଦେଉଛି, ସେ ପାକିସ୍ତାନରେ ହେଉ କି ଆଫଗାନିସ୍ତାନ ମାଟିରେ ଥାଉ ଜବାବ ଦେବାକୁ ପଡିବ ।
ଅନ୍ୟପଟେ ତାଲିବାନ ସରକାର ମଧ୍ୟ ଶୁକ୍ରବାର ପାକିସ୍ତାନ ଉପରେ କାବୁଲର ସାର୍ବଭୌମତ୍ୱର ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି । ତାଲିବାନ ପୂର୍ବରୁ ମଧ୍ୟ ଇସଲାମାବାଦ ଉପରେ ସୀମାରେ ହମଲା କରୁଥିବା ଅଭିଯୋଗ କରି ଆସିଛି । ଏସବୁ ଘଟଣାକୁ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ।
Also read: ଗଗନଯାନ ମିଶନରେ ମହାକାଶକୁ ଯିବ ଓଡ଼ିଶାର “ବ୍ୟୋମମିତ୍ର”