ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ପକ୍ଷରୁ ମଙ୍ଗଳବାରୁ ଆରମ୍ଭ ହେବ ସଂକଳ୍ପ ପଦଯାତ୍ରା । ପିସିସି ସଭାପତିଭାବେ ନିଯୁକ୍ତ ପାଇବା ପରେ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏହି ପଦଯାତ୍ରା କରାଯାଉଛି । ଭୁବନେଶ୍ୱରରୁ ପଦଯାତ୍ରା ବାହାରି ପୁରୀକୁ ଯିବ । ଏହା ପରେ ସେଠାରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ନୂତନ ପିସିସି ସଭାପତି ।
ଭୁଶୁଡ଼ି ପଡ଼ିଥିବା ରାଜ୍ୟ କଂଗ୍ରେସକୁ ପୁଣି ଥରେ ସୁଦୃଢ଼ କରିବାକୁ ଦଳ ପକ୍ଷରୁ ଏହି ପ୍ରୟାସ ଆରମ୍ଭ କରାଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ୩ ଦିନ ଧରି ଚାଲିବ । ପିସିସି ସଭାପତି ନୂଆଦିଲ୍ଲୀରୁ ଆସି ବିମାନ ବନ୍ଦରରେ ପହଁଚିବେ । ସେଠାରୁ ସେ ସିଧାସଳଖ ପଦଯାତ୍ରା ଆରମ୍ଭ କରାଯିବ । ପ୍ରଥମ ଦିନରେ ପଦଯାତ୍ରା ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ ହୋଇ ଲିଙ୍ଗିପୁର ଏବଂ ସେଠାରୁ ପିପିଲି ଯିବ । ଏହାପରେ ପିପିଲିରେ ପଦଯାତ୍ରା ଅଟକିବ । ସେଠାରେ ରାତ୍ରି ଯାପନ କରିବେ ନେତୃବୃନ୍ଦ । ଦ୍ୱିତୀୟ ଦିନରେ ପିପିଲିରୁ ଚନ୍ଦନପୁରରେ ପହଁଚିବ ପଦ ଯାତ୍ରା । ଦ୍ୱିତୀୟ ଦିନରେ ଚନ୍ଦନପୁରରେ ଦଳର ନେତୃବୃନ୍ଦ ଏବଂ କର୍ମୀମାନେ ବିଶ୍ରାମ ନେବେ । ପୁଣି ତୃତୀୟ ଦିନ ଅର୍ଥାତ୍ ୨୦ ତାରିଖରେ ଚନ୍ଦନପୁରରୁ ଶ୍ରୀମନ୍ଦିର ଅଭିମୁଖେ ଯାଏ ପଦଯାତ୍ରା ଯିବ । ଶ୍ରୀମନ୍ଦିର ନିକଟରେ ପହଁଚିବା ପରେ ପିସିସି ସଭାପତି ମହାପ୍ରଭୁଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିବେ । ଓଡ଼ିଶାବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ମହାସଂଗ୍ରାମ କରିବା ପଦଯାତ୍ରା ମୂଳ ଲକ୍ଷ୍ୟ ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଦୀର୍ଘ ଦିନ ହେବା ପିସିସି ସଭାପତି ପଦ ଖାଲି ରହିଥିଲା । ଏଆଇସିସି ଭକ୍ତ ଚରଣ ଦାସଙ୍କୁ ନୂତନ ପିସିସି ସଭାପତିଭାବେ ନିକଟରେ ନିଯୁକ୍ତ କରିଛି । ସଭାପତି ହେବା ପରେ ଭକ୍ତ ଚରଣ ଦାସ ପ୍ରଥମ ଥର ପାଇଁ ଏହି ସଂକଳ୍ପ ପଦଯାତ୍ରା ଆରମ୍ଭ କରିଛନ୍ତି ।