ଭୁବନେଶ୍ଵର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ କାଲି ଖୁସିର ଲହରି ଖେଳି ଯାଇଥିବାବେଳେ ଆଜି ଆସିଛି ଦୁଃଖଦ ଖବର । ଗତକାଲି ବାପା ହେବା ପରେ ଶେଷରେ ଆଖି ବୁଜିଛି ସିମ୍ପାଞ୍ଜି ‘ଜୁଲୁ’ । ତାର ବୟସ ୩୬ ବର୍ଷ ହେବ । ତେବେ ଜୁଲୁରେ ମୃତ୍ୟୁ ଫଳରେ ନନ୍ଦନକାନନରେ ସିମ୍ପାଞ୍ଜି ସଂଖ୍ୟା ୭କୁ ହ୍ରାସ ପାଇଛି । ତେବେ ଜୁଲୁର କିପରି ମୃତ୍ୟୁ ହେଲା ଏ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସୂଚନା ମିଳିପାରି ନାହିଁ ।
‘ଜୁଲୁ’ ୧୯୮୮ ମସିହାରେ ଜନ୍ମ ଗ୍ରହଣ କରିଥିଲା । ୧୯୯୪ ମସିହାରେ ତାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା । ଦୀର୍ଘ ୩୦ ବର୍ଷ ହେବ ପର୍ୟ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଥିଲା । ଜୁଲୁ ଆସିବା ପରେ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଜୁଲୁ ସହ ମିଳନରେ ସିମ୍ପାଞ୍ଜି ରାକ୍ଷୀ ୬୦(କ) ଏନକ୍ଲୋଜରରେ ଗତକାଲି ଏକ ଅଣ୍ଡିରା ଶାବକକୁ ଜନ୍ମ ଦେଇଥିଲା । ତେବେ ଜୁଲୁର ମୃତ୍ୟୁ ହେବା ପରେ ଏବେ ମାତ୍ର ଗୋଟିଏ ଅଣ୍ଡିରା ସିମ୍ପାଞ୍ଜି ରାଜା ହିଁ ଅଛି । ମାଈ ସିମ୍ପାଞ୍ଜିଙ୍କ ମଧ୍ୟରେ ଏବେ ଅଛନ୍ତି ରାକ୍ଷୀ, ପୂର୍ଣ୍ଣିମା, ପମ୍ପେଟା, ଦୁର୍ଗା ଓ ଲକ୍ଷ୍ମୀ ।