ପୁରୀ: ରିଜର୍ଭ ବ୍ୟାଙ୍କ ଅଧିକାରୀ ସହିତ ସୁସମ୍ପର୍କ ଥିବା ଦର୍ଶାଇ ଜଣେ ମହିଳା ଲୁଟିଛନ୍ତି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା । ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିଛି । ସେ ହେଲେ ସତ୍ୟବାଦୀ ଥାନା ଶ୍ରୀରାମଚନ୍ଦ୍ରପୁର ପରାହାଟ ମୂଳଅଳସା ଗାଁର ତିଳୋତ୍ତମା ପ୍ରଧାନ । । ସେ ତାଳବଣିଆ ଥାନା ବାଲିଘାଟ ଶ୍ରୀରାମନଗରରେ ରୁହନ୍ତି । ତାଙ୍କୁ ଶ୍ରୀରାମନଗର ଘରୁ ଗିରଫ କରାଯାଇଛି । ଏ ନେଇ ଚନ୍ଦନପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତାଙ୍କ ଘରୁ ରିଜର୍ଭ ବ୍ୟାଙ୍କର ଏକ ଜାଲ୍ ପ୍ରମାଣପତ୍ର ବା ଫଣ୍ଡ୍ ରିଲିଜ ଅର୍ଡର, ବିଡ଼ା ବିଡ଼ା ଟଙ୍କା, ସୁନାର ହାତୀ, ୬ଟି ଚେକ୍, ସୁନା ବିସ୍କୁଟ୍, ସୁନା ଅଳଙ୍କାର ଆଦି ଜବତ କରାଯାଇଥିବାର ଫଟୋ ଭାଇରାଲ ହେଉଛି । କିନ୍ତୁ ଜବତ ସାମଗ୍ରୀ ନେଇ ପୋଲିସ କିଛି ସ୍ପଷ୍ଟ କରି ନାହିଁ ।
ବନ୍ତୁକ ଗ୍ରାମର ଅଭିମନ୍ୟୁ ଜେନାଙ୍କ ଅଭିଯୋଗ ମୁତାବକ, ତିଳୋତ୍ତମା ପ୍ରଧାନ ୨୦୧୯ ମସିହାରୁ ଶିରୁଳି ମହାବୀର ମନ୍ଦିର ନିକଟରେ 'ମାକ୍ସ' ନାମରେ ଏକ ଋଣ ପ୍ରଦାନକାରୀ ସଂସ୍ଥା ଖୋଲିଥିଲେ । ଋଣ କରାଇ ଦେବାକୁ କହି ସେ ପୁରୀ, ଚନ୍ଦନପୁର, ସତ୍ୟବାଦୀ, ବ୍ରହ୍ମଗିରି ଆଦି ଅଞ୍ଚଳରେ ଲୋକମାନଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରିଥିଲେ । ଅଭିମନ୍ୟୁଙ୍କୁ ମଧ୍ୟ ୫ ହଜାର ଟଙ୍କା ଦେଲେ ୫୦ ହଜାର ଟଙ୍କାର ଋଣ ପାଇବ ବୋଲି ପ୍ରଲୋଭନ ଦେଖାଇଥିଲେ । ଏ ନେଇ ତାଙ୍କର ସନ୍ଦେହ ହେବାରୁ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ୪୦/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତ ତିଳୋତ୍ତମାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ତିଳୋତ୍ତମାଙ୍କ ଘରୁ ରିଜର୍ଭ ବ୍ୟାଙ୍କର ଏକ ଜାଲ୍ ପ୍ରମାଣପତ୍ର ବା ଫଣ୍ଡ୍ ରିଲିଜ ଅର୍ଡର ମିଳିଛି, ଯେଉଁଥିରେ ରିଜର୍ଭ ବ୍ୟାଙ୍କ ତାଙ୍କୁ ୧.୨୦ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିବା ଉଲ୍ଲେଖ ରହିଛି । ଏପରିକି ମାକ୍ସ କମ୍ପାନି ମହିଳାଙ୍କୁ ୩ କ୍ଵିଣ୍ଟାଲ ସୁନା, ଓଡ଼ିଶାର ବିଭିନ୍ନ ସ୍ଥାନରେ ୪୦ଟି ଘର ଓ ୪୦ଟି ଗାଡ଼ି ପ୍ରଦାନ କରିଥିବା ଏହି ପ୍ରମାଣପତ୍ରରେ ଉଲ୍ଲେଖ ରହିଛି । ତେବେ ଏ ନେଇ ପୋଲିସ କିଛି ସ୍ପଷ୍ଟ କରି ନାହିଁ । ଏହି ମାମଲାର ତଦନ୍ତ କରି ପୁଲିସ ୫ଟି ଚେକ୍ ଜବତ କରିଛି । ତିଳୋତ୍ତମା ମାକ୍ସ ନାମରେ ଋଣ ପ୍ରଦାନକାରୀ ସଂସ୍ଥା ଖୋଲି ଠକିବା ସହ ସେଠାରେ ହନୁମାନ ପଇସା ରଖିଥିବା ଦର୍ଶାଇ ଲୋକଙ୍କୁ ୫ହଜାର ଟଙ୍କା ଋଣ କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଲୋକମାନେ ତିଳୋତ୍ତମାକୁ ୫ଶହ ଟଙ୍କା ଦେଇ ୫ହଜାର ଟଙ୍କା ଋଣ ନେଇଥିଲେ । ଧୀରେ ଧୀରେ ଋଣ ଗ୍ରହିତାଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିଲା। ତେଣୁ ସେ ଶିରୁଳୀ ସମେତ ତାଳବଣିଆ ଥାନା ଅଞ୍ଚଳରେ ମାକ୍ସ ନାମରେ ଅଫିସ ଖୋଲି ବିଭିନ୍ନ ବ୍ଲକ୍ର ଲୋକଙ୍କୁ ଋଣ ଦେବା ଆରମ୍ଭ କରିଥିଲେ । ଏପରିକି ଲୋକଙ୍କ ବିଶ୍ୱାସଭାଜନ ପାଇଁ ସେ ଋଣ ଦେବା ପାଇଁ ରିଜର୍ଭ ବ୍ୟାଙ୍କଠାରୁ ଅନୁମତି ପାଇଥିବା ଜାଲ୍ ସାର୍ଟିଫିକେଟ୍ ସମସ୍ତଙ୍କୁ ଦେଖାଉଥିଲେ । ଲୋକେ ଏହା ଦେଖି ସହଜରେ ବିଶ୍ଵାସ କରି ଟଙ୍କା ଦେବା ଆରମ୍ଭ କରି ଦେଇଥିଲେ। ଏପରିକି ତିଳୋତ୍ତମା ଟଙ୍କା ନେଇ ଲକ୍ଷ ଲକ୍ଷ ଟଙ୍କାର ଚେକ୍ ଲୋକଙ୍କୁ ଧରାଇ ଦେଇଛି । ଯେଉଁଥିରେ ୧ ଲକ୍ଷ ଟଙ୍କାର ଚେକ୍ଠାରୁ ଆରମ୍ଭ କରି ୨୫ ଲକ୍ଷ ଟଙ୍କାର ଚେକ୍ ରହିଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି ।