ବାଲେଶ୍ବର: ବିଳମ୍ବିତ ରାତିରେ ଘରେ ପଶି ପରିବାର ଲୋକଙ୍କୁ ମାଡ ମାରିବା ସହିତ ଗୁଳିକରି ଘରେ କଳାକନା ବୁଲାଇଛନ୍ତି ଦୁବୃର୍ତ୍ତ । ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ସୋର ଥାନା ଦୟାନିଧିପୁରରେ ଘଟିଛି । ବିନା ଭୟରେ ଦୁବୃର୍ତ୍ତମାନେ ଘରେ ପଶି ଏପରି କାଣ୍ଡ ଭିଆଇଛନ୍ତି । ଦୁବୃର୍ତ୍ତଙ୍କ ଆକ୍ରମଣରେ ପରିବାର ଲୋକେ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସୋର ଡାକ୍ତରଖାନା ଓ ପରେ ବାଲେଶ୍ୱରକୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ସୋର ଥାନା ଦୟାନିଧିପୁର ଗାଁର ମଞ୍ଜୁଲତା ନାୟକଙ୍କ ଘରେ ଦୁର୍ବୃତ୍ତ ପଶିଥିଲେ । ଏହି ଖବର ମା' ପୁଅକୁ ଭୟରେ ଫୋନ୍ କରି ଜଣାଇଥିଲେ । ପୁଅ ଫୋନ୍ ଯୋଗେ ପଡ଼ୋଶୀଙ୍କୁ ଏହି ଖବର ଜଣାଇଥିଲେ । ଏହି ସମୟରେ ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ଘର ଭିତରକୁ ପଶି ପରିବାର ଲୋକଙ୍କ ଗୋଡ଼କୁ ବାନ୍ଧି ମାଡ଼ ମାରିଥିଲେ । ଏହା ପରେ ଘରେ ଥିବା ୧୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ୫୦ ହଜାର ଟଙ୍କା ଲୁଟିଥିଲେ ।
ପଡ଼ୋଶୀ ଆସିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ଗୁଳି ମାରିଥିଲେ । ଫଳରେ ପଡ଼ୋଶୀ ଗୁରୁତର ଆହତ ହୋଇଥିଲେ । ଘରେ କଳାକନା ବୁଲାଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ଆହତଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏନେଇ ସୋର ଥାନା ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।