ଓଡ଼ିଶାରେ ମାତୃ ମୃତ୍ୟୁହାର (MMR) ହ୍ରାସ ପାଇଥିଲେ ମଧ୍ୟ ରାଜ୍ୟ ଏବେ ବି ଦେଶର ସର୍ବାଧିକ ମାତୃ ମୃତ୍ୟୁହାର ଥିବା ଟପ୍-୫ ରାଜ୍ୟ ମଧ୍ୟରେ ସ୍ଥାନ ରଖିଛି। ଏହା ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଏକ ଚିନ୍ତାର ବିଷୟ ହୋଇ ରହିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ସାମ୍ପଲ୍ ରେଜିଷ୍ଟ୍ରେସନ୍ ସିଷ୍ଟମ୍ (SRS) ରିପୋର୍ଟ ଅନୁଯାୟୀ, ରାଜ୍ୟରେ ମାତୃ ମୃତ୍ୟୁହାର ପୂର୍ବ ଅପେକ୍ଷା କମିଛି। ୨୦୨୧-୨୩ ଅବଧିରେ ପ୍ରତି ଏକ ଲକ୍ଷ ଜୀବିତ ଶିଶୁ ଜନ୍ମରେ ମାତୃ ମୃତ୍ୟୁହାର ୧୫୩ ଥିବାବେଳେ ୨୦୨୨-୨୪ରେ ଏହା ହ୍ରାସ ପାଇ ୧୨୪ରେ ପହଞ୍ଚିଛି। ତେବେ ଏହି ସଂଖ୍ୟା ଜାତୀୟ ହାରଠାରୁ ବହୁତ ଅଧିକ। ଜାତୀୟ ସ୍ତରରେ ୨୦୨୨-୨୪ରେ ମାତୃ ମୃତ୍ୟୁହାର ୮୭ ରହିଥିବା ବେଳେ ଓଡ଼ିଶାର ହାର ୧୨୪ ରହିଛି।
ବିଶେଷଜ୍ଞଙ୍କ ମତରେ, ରାଜ୍ୟରେ ଉନ୍ନତ ସ୍ୱାସ୍ଥ୍ୟସେବା, ଅତ୍ୟାଧୁନିକ ଚିକିତ୍ସା ସୁବିଧା, ସରକାରଙ୍କ ପୁଷ୍ଟିକର ଖାଦ୍ୟ ବଣ୍ଟନ ଯୋଜନା ଓ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ମାତୃ ମୃତ୍ୟୁହାର କମିଛି। ଗତ ଏକ ଦଶନ୍ଧି ପୂର୍ବରୁ ରାଜ୍ୟରେ ଏହି ହାର ୧୮୦ ଥିଲା, ଯାହା ବର୍ତ୍ତମାନ ୧୨୪କୁ ଖସିଛି।
ତଥାପି ଚିତ୍ର ସମ୍ପୂର୍ଣ୍ଣ ସନ୍ତୋଷଜନକ ନୁହେଁ। ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ଅଭାବ, ଜରୁରୀକାଳୀନ ପ୍ରସୂତି ସେବା ନ ମିଳିବା, ଅନ୍ଧବିଶ୍ୱାସ ଓ ପାରମ୍ପରିକ ବିଶ୍ୱାସର ପ୍ରଭାବ, ଏବଂ ସମୟରେ ଡାକ୍ତରଖାନା ନ ପହଞ୍ଚିପାରିବା ଭଳି କାରଣ ଏବେ ବି ଅନେକ ଗର୍ଭବତୀ ମହିଳାଙ୍କ ଜୀବନ ପାଇଁ ବିପଦ ସୃଷ୍ଟି କରୁଛି।
ମାତୃ ମୃତ୍ୟୁହାର କମିବା ନିଶ୍ଚିତ ଭାବେ ଏକ ସକାରାତ୍ମକ ସଙ୍କେତ। କିନ୍ତୁ ଟପ୍-୫ ଅପଖ୍ୟାତିରୁ ବାହାରିବା ପାଇଁ ଓଡ଼ିଶାକୁ ଆହୁରି ଅଧିକ ସ୍ୱାସ୍ଥ୍ୟ ଭିତ୍ତିଭୂମି, ସଚେତନତା ଏବଂ ଗ୍ରାମାଞ୍ଚଳରେ ଜରୁରୀ ସେବାକୁ ସୁଦୃଢ଼ କରିବାକୁ ପଡିବ। ତେବେ ଯାଇ ମା’ ଓ ଶିଶୁଙ୍କ ସୁରକ୍ଷିତ ଭବିଷ୍ୟତର ସ୍ୱପ୍ନ ସାକାର ହୋଇପାରିବ।